ଭୁବନେଶ୍ୱର, ୧୭/୦୫: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଅଗ୍ରସର ହେଉଥିବାବେଳେ ଚଳିତ ବର୍ଷ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆସନ୍ତା ଜୁନ୍ କିମ୍ବା ଜୁଲାଇ ସୁଦ୍ଧା ‘ସୁପର ଏଲ୍ ନିନୋ’ ସ୍ଥିତି ସକ୍ରିୟ ହୋଇପାରେ । ଯାହାର ପ୍ରଭାବ ଭାରତୀୟ ମୌସୁମୀ ବାୟୁ ଉପରେ ପଡ଼ିବା ସହ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି । ଏହା ଫଳରେ କେତେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇପାରେ ବୋଲି ଚେତାବନୀ ଦିଆଯାଇଛି ।
ଏପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବିଶାଳ ଅଞ୍ଚଳ ଏବଂ ନିକୋବାର ଦ୍ୱୀପପୁଞ୍ଜକୁ ଅଗ୍ରସର ହୋଇଛି । ଭାରତୀୟ ପାଣିପାଗ ବିଭାଗ(IMD) ଅନୁମାନ କରିଛି ଯେ, ଆସନ୍ତା ୨୬ ତାରିଖ ସୁଦ୍ଧା କେରଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ।
ଭାରତରେ ବାର୍ଷିକ ବର୍ଷାର ପ୍ରାୟ ୭୦ ପ୍ରତିଶତ ଚାରି ମାସର ମୌସୁମୀ ଋତୁରୁ ମିଳିଥାଏ । କୃଷି, ଫସଲ ଉତ୍ପାଦନ, ଜଳଭଣ୍ଡାର ଓ ସମଗ୍ର ଅର୍ଥନୀତି ପାଇଁ ଏହି ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏବର୍ଷ ଏଲ୍ ନିନୋ ପ୍ରଭାବରେ ମୌସୁମୀ ବର୍ଷା ସାଧାରଣ ଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ମୌସୁମୀ ଋତୁରେ ଦେଶରେ ପ୍ରାୟ ୮୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଥିବାବେଳେ ଦୀର୍ଘକାଳୀନ ହାରାହାରି ବର୍ଷା ପରିମାଣ ୮୭ ସେଣ୍ଟିମିଟର ରହିଛି ।
ପାଣିପାଗ ବିଶ୍ଳେଷକମାନଙ୍କ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ବର୍ଷାର ସ୍ଥିତି ସ୍ୱାଭାବିକ ରହିପାରେ । କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବର୍ଷା ପରିମାଣରେ ବଡ଼ ହ୍ରାସ ଘଟିବାର ଆଶଙ୍କା ରହିଛି । ଏହା ଏଲ୍ ନିନୋ-ଦକ୍ଷିଣ ଦୋଳନ(ENSO) ପରିସ୍ଥିତିର ପ୍ରଭାବ ହୋଇପାରେ ବୋଲି କୁହାଯାଉଛି ।
IMD ପକ୍ଷରୁ ମେ’ ୧ ତାରିଖରେ ଜାରି ପୂର୍ବାନୁମାନରେ କୁହାଯାଇଥିଲା ଯେ, ବିଷୁବୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ୍ ନିନୋ-ଦକ୍ଷିଣ ଦୋଳନର ନିରପେକ୍ଷ ସ୍ଥିତି ଧୀରେଧୀରେ ଏଲ୍ ନିନୋ ଆଡ଼କୁ ବିକଶିତ ହେଉଛି । ଯଦି ଏହା ସୁପର ଏଲ୍ ନିନୋର ରୂପ ନିଏ, ତେବେ ଦେଶର ମୌସୁମୀ ବର୍ଷା ଉପରେ ଗୁରୁତର ପ୍ରଭାବ ପଡ଼ିପାରେ ।
