ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଦେଖାଦେଇଥିବା ତେଲ ସଙ୍କଟ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ପୂର୍ବ ଭଳି ଭିଡ଼ ଆଉ ଦେଖିବାକୁ ମିଳୁନି । ଗତକାଲି ସନ୍ଧ୍ୟାରୁ ଗାଡ଼ି ଚାଳକଙ୍କ ଭିଡ଼ କମିଥିବାବେଳେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସମଗ୍ର ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ କୁହାଯାଇଛି ।
ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ଗତ ୫ ଦିନ ମଧ୍ୟରେ ରାଜ୍ୟରେ ସାଧାରଣତଃ ୧୫ ଦିନରେ ଯେତେ ତେଲ ବିକ୍ରି ହୁଏ, ସେତେ ପରିମାଣର ବିକ୍ରି ହୋଇଛି । ତଥାପି ରାଜ୍ୟରେ ପ୍ରଚୁର ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ତେଣୁ ଲୋକମାନେ ଅଯଥା ଭୟଭୀତ ନହେବାକୁ ସେ ଅନୁରୋଧ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ତେଲ ଯୋଗାଣ ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅଧିକାଂଶ ପେଟ୍ରୋଲ ପମ୍ପରେ ପ୍ରଚୁର ପରିମାଣରେ ତେଲ ଉପଲବ୍ଧ ହେବ । ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବ୍ୟବସାୟ ଉପରେ କିଛି ପ୍ରଭାବ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଯେଉଁ ଡିଲରମାନେ ଷ୍ଟକ୍ ଥିଲେ ମଧ୍ୟ ତେଲ ବିକ୍ରି କରୁନଥିବେ, ସେମାନଙ୍କ ବିରୋଧରେ ତୈଳ କମ୍ପାନୀ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଞ୍ଜୟ ଲାଠ ସ୍ପଷ୍ଟ କରିଛନ୍ତି । ଅଭିଯୋଗ ଆଧାରରେ ସମ୍ପୃକ୍ତ ଡିଲରଙ୍କ ବିରୋଧରେ ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସେପଟେ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ସ୍ଥିତି ସୁଧାର ଆସିଥିବା ଦେଖାଯାଇଛି । ପୂର୍ବ ଭଳି ଲମ୍ବା ଲାଇନ ନଥିବାବେଳେ ଗାଡ଼ି ଚାଳକମାନେ ସାଧାରଣ ଭାବେ ତେଲ ଭରୁଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କହିବା ଅନୁଯାୟୀ, ଡିପୋରୁ ନିୟମିତ ଟ୍ୟାଙ୍କର ଆସୁଥିବାରୁ ବର୍ତ୍ତମାନ ତେଲ ଅଭାବର କୌଣସି ସମସ୍ୟା ନାହିଁ ।
