ସାବିତ୍ରୀ ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ଚନ୍ଦନ ଯାତ୍ରା ଅନ୍ତର୍ଗତ ସାଗର ବିଜେ ଓ ଜଳକ୍ରୀଡ଼ା ନୀତି ଦେରି ପର୍ଯ୍ୟନ୍ତ ଚାଲିଥିବାରୁ ମହାପ୍ରଭୁଙ୍କ ରାତ୍ରି ପହୁଡ଼ ନୀତି ସମ୍ପନ୍ନ ହୋଇପାରିନଥିଲା। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି।
ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କ ଜଳକ୍ରୀଡ଼ା ନୀତି ଚାଲିଥିଲା। ରାତି ପ୍ରାୟ ୮ଟାରେ ବିଜେ ସମ୍ପନ୍ନ ହେବା ପରେ ପରବର୍ତ୍ତୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଧ୍ୟରାତ୍ର ପରେ ମଧ୍ୟ ବିଭିନ୍ନ ନୀତି ଚାଲିଥିବାରୁ ବଡ଼ସିଂହାର ବେଶ ଭୋର ୪ଟା ୨୪ ମିନିଟ୍ରେ ସମ୍ପନ୍ନ ହୋଇଥିଲା।
ଏହା ପରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇପାରିନଥିଲା ଏବଂ ସକାଳର ମଙ୍ଗଳ ଆଳତି ନୀତିକୁ ତ୍ୱରାନ୍ୱିତ କରାଯାଇଥିଲା। ନୀତିରେ ବିଳମ୍ବ ହେତୁ ସେବାୟତମାନେ ଅତିରିକ୍ତ ସମୟ ଧରି ସେବାକାର୍ଯ୍ୟରେ ବ୍ୟସ୍ତ ରହିଥିଲେ।
ଶ୍ରୀମନ୍ଦିରରେ ଚାଲୁଥିବା ଚନ୍ଦନ ଯାତ୍ରା ଓ ବିଶେଷ ପର୍ବପର୍ବାଣୀ ସମୟରେ ନୀତିକାନ୍ତିରେ ଏଭଳି ବିଳମ୍ବ ସାଧାରଣ ଘଟଣା ହେଲେ ମଧ୍ୟ, ମହାପ୍ରଭୁଙ୍କ ପହୁଡ଼ ନୀତି ନ ହେବା ଭକ୍ତମାନଙ୍କ ଭିତରେ ଆଲୋଚନାର ବିଷୟ ପାଲଟିଛି।
