ରାଜ୍ୟରେ ବଢୁଥିବା ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆ କଡା ସନ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ରାହାତ ନଥିବା କହି ସେ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ଅପରାଧ କରିବାକୁ ଚେଷ୍ଟା କଲେ ପୋଲିସ କଠୋର ଆକ୍ସନ ନେବ ଏବଂ ଆବଶ୍ୟକ ପଡିଲେ ଏନକାଉଣ୍ଟର ମଧ୍ୟ ହେବ।
ଗତ କିଛି ଦିନ ଧରି ସାରା ରାଜ୍ୟରେ ପୋଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନରେ ବଡ଼ ପରିମାଣରେ ଅପରାଧୀଙ୍କୁ ଧରାଯାଇଛି। ବିଭିନ୍ନ ଜିଲ୍ଲାରେ NBW ଡ୍ରାଇଭ୍ ଚାଲି ୧୭୭୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନେକ ଫେରାର ଅପରାଧୀଙ୍କୁ ମଧ୍ୟ ଧରାଯାଇଛି। କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ NSA ଭଳି କଡା ଆଇନ ଲାଗୁ କରାଯାଇଛି।
ପୋଲିସ ଡିଜି କହିଛନ୍ତି ଯେ, ନିଶାଦ୍ରବ୍ୟ ଚୋରା ଚାଲାଣ, ବେଆଇନ ଅସ୍ତ୍ର କାରବାର ଓ ଖଣି ମାଫିଆଙ୍କ ବିରୋଧରେ ଜିରୋ ଟୋଲରେନ୍ସ ନୀତି ଅପନାଇଯାଇଛି। ସଡକ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଅମାନିଆ ଡ୍ରାଇଭର ଓ ଯାନମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚାଲିଛି।
ଏହାରି ମଧ୍ୟରେ ସମ୍ବଲପୁରରେ ପୁଣି ଏକ ପୋଲିସ ଏନକାଉଣ୍ଟର ଘଟିଛି। ବୁର୍ଲା ପ୍ଲାନେଟୋରିୟମ ଛକ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ପୋଲିସ ଗୁଳିରେ ଆହତ ହୋଇଛି। ତାକୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟରେ ଅପରାଧ ଦମନ ପାଇଁ ଏଭଳି ସ୍ପେଶାଲ ଡ୍ରାଇଭ୍ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
