ରାଜ୍ୟର ଛାତ୍ରୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’ ଆପ୍କୁ ଆରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଛାତ୍ରୀମାନେ ୨୪ ଘଣ୍ଟିଆ ସୁରକ୍ଷା ସେବା ପାଇପାରିବେ। ଏହାକୁ ସମସ୍ତ ଶିକ୍ଷାର୍ଥୀଙ୍କ ମୋବାଇଲ୍ରେ ଇନଷ୍ଟଲ୍ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଆପ୍ଟି ଡାଉନ୍ଲୋଡ୍ ପରେ ଛାତ୍ରଛାତ୍ରୀମାନେ ନାମ, ସାମ୍ସ ଆଇଡି, ପଞ୍ଜୀକରଣ ସଂଖ୍ୟା, ଲିଙ୍ଗ ଏବଂ ସାମ୍ସରେ ଥିବା ମୋବାଇଲ୍ ନମ୍ବର ସହ ଦୁଇଟି ଜରୁରୀକାଳୀନ ନମ୍ବର ଦେଇ ପଞ୍ଜୀକରଣ କରିପାରିବେ।
‘ଶକ୍ତିଶ୍ରୀ’ ଆପ୍ରେ ସେଫ୍ଟି ଚେକ୍-ଇନ୍, ଜରୁରୀ ସହାୟତା, ଲାଇଭ୍ ଲୋକେସନ୍ ଶେୟାର, କାଉନ୍ସେଲିଂ ସପୋର୍ଟ, ଶିକ୍ଷାନୁଷ୍ଠାନ ସମ୍ପର୍କିତ ସୂଚନା ଓ ଆଲର୍ଟ ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିଛି। କୌଣସି ଅସୁବିଧା କିମ୍ବା ବିପଦ ସମୟରେ ଛାତ୍ରୀମାନେ ତୁରନ୍ତ ରିପୋର୍ଟ କରିପାରିବେ।
ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍କୁ ଲୋକାର୍ପଣ କରିଥିଲେ। ମହିଳା ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ସେହିପରି ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଅଧୀନରେ ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ। ଏଠାରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ, ଆଇନଗତ ଅଧିକାର ସମ୍ପର୍କିତ ଜ୍ଞାନ ଏବଂ ଜରୁରୀ ପରିସ୍ଥିତିରେ ମୁକାବିଲା ପାଇଁ ତାଲିମ ଦିଆଯିବ।
