ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ର କଲଦା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ପ୍ରବଳ ବର୍ଷାରେ ନିରୁପମା ବେହେରାଙ୍କ ଝାଟିମାଟିର ଘର ହଠାତ୍ ଭୁଶୁଡ଼ି ପଡ଼ିବାରୁ ସମଗ୍ର ପରିବାର ନିରାଶ୍ରୟ ହୋଇପଡ଼ିଛନ୍ତି। ସୌଭାଗ୍ୟବଶତଃ ଘର ଭୁଶୁଡ଼ିବା ବେଳେ ସେ ଅଳ୍ପକେ ପ୍ରାଣରକ୍ଷା ପାଇଥିଲେ।
ଘର ଭାଙ୍ଗିଯିବା ସହ ଖାଦ୍ୟ ସାମଗ୍ରୀ, ବାସନକୁସନ, ପୋଷାକ ଏବଂ ଅନ୍ୟାନ୍ୟ ଜରୁରୀ ଘରୋଇ ସାମଗ୍ରୀ ମାଟି ତଳେ ଚାପି ନଷ୍ଟ ହୋଇଯାଇଛି। ନିରୁପମା ବେହେରା ଜଣେ ବିଧବା ଓ ଦିନମଜୁରିଆ ପରିବାରର ହୋଇଥିବାରୁ ତାଙ୍କ ପାଇଁ ଏହି ବିପର୍ଯ୍ୟୟ ଜୀବନକୁ ଆହୁରି ସଙ୍କଟମୟ କରିଦେଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ସାମାଜିକ ସଂଗଠନ ମାରୁତି ସେନାର ଢେଙ୍କାନାଳ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ପୀଡ଼ିତ ପରିବାର ନିକଟରେ ପହଞ୍ଚି ଆବଶ୍ୟକ ସହାୟତା ଯୋଗାଇଛନ୍ତି। ଏହା ସହ ପ୍ରଶାସନ ପକ୍ଷରୁ ତୁରନ୍ତ ଜରୁରୀ ରିଲିଫ୍, ଆର୍ଥିକ ସହାୟତା ଓ ସରକାରୀ ଘର ଯୋଜନାର ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି।
ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ୍ ପ୍ରଶାସନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ବେଳେ, କ୍ଷତିଗ୍ରସ୍ତ ପରିବାରକୁ ଶୀଘ୍ର ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପ୍ରଦାନ କରାଯିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ ରହିଛି।

Total Users : 1000778