ରାଜ୍ୟସଭାରେ ଧୀରେ ଧୀରେ ଦୁର୍ବଳ ହେଉଛି ବିଜେଡିର ସ୍ଥିତି, ଯେତେବେଳେକି ବିଜେପି ନିଜର ପକଡ଼କୁ ଆହୁରି ମଜବୁତ କରୁଛି। ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ପଦତ୍ୟାଗ କରିବା ପରେ ଉପର ସଦନରେ ବିଜେଡିର ସାଂସଦ ସଂଖ୍ୟା ଏବେ ୫କୁ ହ୍ରାସ ପାଇଛି।
ବର୍ତ୍ତମାନ ବିଜେଡି ପକ୍ଷରୁ ରାଜ୍ୟସଭାରେ ସସ୍ମିତ ପାତ୍ର, ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି। ସେହିପରି ୨୦୨୪ରେ ନିର୍ବାଚିତ ସୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ଓ ଏହିବର୍ଷ ନିର୍ବାଚିତ ସନ୍ତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ ପର୍ଯ୍ୟନ୍ତ ରହିବ।
ଅନ୍ୟପଟେ ବିଜେପି ରାଜ୍ୟସଭାରେ ନିଜର ସଂଖ୍ୟା ବଢ଼ାଇବାରେ ସଫଳ ହୋଇଛି। ଗତ ଏପ୍ରିଲରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହୋଇଥିଲେ। ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଦିଲୀପ ରାୟଙ୍କୁ ମଧ୍ୟ ବିଜେପି ସମର୍ଥନରେ ରାଜ୍ୟସଭାକୁ ପଠାଯାଇଥିଲା। ଏହି ତିନିଜଣଙ୍କ କାର୍ଯ୍ୟକାଳ ୨୦୩୨ ପର୍ଯ୍ୟନ୍ତ ରହିବ।
ସେହିପରି ୨୦୨୪ରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ମଧ୍ୟ ୨୦୩୦ ପର୍ଯ୍ୟନ୍ତ ରହିଛି।
ଆଜି ଦେବାଶିଷ ସାମନ୍ତରାୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦତ୍ୟାଗ ପତ୍ର ପଠାଇଥିଲେ। ପରେ ସେ ରାଜ୍ୟସଭା ସଭାପତି ସି.ପି. ରାଧାକୃଷ୍ଣନଙ୍କୁ ଭେଟି ନିଜ ପଦତ୍ୟାଗ ପତ୍ର ଦାଖଲ କରିଥିଲେ। ଦଳ ଛାଡ଼ିବା ପରେ ସେ ବିଜେଡିର ସଂଗଠନ ଓ ନେତୃତ୍ୱ ଶୈଳୀକୁ ନେଇ କଠୋର ମତ ପ୍ରକାଶ କରିଥିଲେ। ଦଳରେ ବରିଷ୍ଠ ନେତାଙ୍କୁ ଯଥୋଚିତ ଗୁରୁତ୍ୱ ମିଳୁନଥିବା ଓ ଓଡ଼ିଆ ସ୍ୱାଭିମାନକୁ ଅବହେଳା କରାଯାଉଥିବା ଅଭିଯୋଗ ସେ କରିଥିଲେ।
ଦେବାଶିଷ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ନେତା ଭାବେ ପରିଚିତ ଥିଲେ। କିନ୍ତୁ ଗତ କିଛିଦିନ ଧରି ଦଳ ସହିତ ତାଙ୍କର ଦୂରତା ବଢ଼ୁଥିବା ନେଇ ଚର୍ଚ୍ଚା ଚାଲିଥିଲା। ତାଙ୍କ ସମର୍ଥକମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିବା ନେଇ ମଧ୍ୟ ଅସନ୍ତୋଷ ଥିଲା। ଏପର୍ଯ୍ୟନ୍ତ କି ତାଙ୍କୁ ଦିଆଯାଇଥିବା ବରିଷ୍ଠ ନାଗରିକ ସେଲର ସିନିୟର ଭାଇସ୍ ପ୍ରେସିଡେଣ୍ଟ ପଦକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ।
