ରାଜ୍ୟରେ ଭୋଟର ତାଲିକାକୁ ଆହୁରି ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଆସନ୍ତା ମେ ୩୦ରୁ ଆରମ୍ଭ ହେବ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)। ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର ଥିବାବେଳେ ପ୍ରାୟ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ସନ୍ଦର୍ଭ ଅସ୍ପଷ୍ଟ ଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ। ସେ କହିଛନ୍ତି, ଏହି ପ୍ରକ୍ରିୟାରେ ଅଯୋଗ୍ୟ ଓ ଅଭାରତୀୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବ।
ମେ ୨୦ରୁ ୨୯ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ଛପା କାର୍ଯ୍ୟ ସରିବା ପରେ BLOମାନେ ଘରେ ଘରେ ପହଞ୍ଚି ସର୍ବେକ୍ଷଣ କରିବେ। ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ର ପୁନର୍ଗଠନ କାମ ସମ୍ପନ୍ନ ହେବା ସହ ଜୁଲାଇ ୫ରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ। ଆଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ।
ଏହି ବିଶେଷ ସଂଶୋଧନର ଲକ୍ଷ୍ୟ ହେଉଛି ଯୋଗ୍ୟ ନୂତନ ଭୋଟରଙ୍କୁ ସାମିଲ କରିବା ସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମକୁ ବାହାର କରିବା। ଭୋଟର ତାଲିକାର ତ୍ରୁଟି ସୁଧାରି ଆଗାମୀ ନିର୍ବାଚନ ପୂର୍ବରୁ ଏକ ସ୍ୱଚ୍ଛ ଓ ବିଶ୍ୱସନୀୟ ତାଲିକା ପ୍ରସ୍ତୁତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।
ସୂଚନା ଅନୁସାରେ, ମେ ୨୦ରୁ ୨୯ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାମ ସମ୍ପନ୍ନ ହେବ। ତା’ପରେ ମେ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ BLOମାନେ ଘରେ ଘରେ ପହଞ୍ଚି ତଥ୍ୟ ସଂଗ୍ରହ କରିବେ। ଏହି ସମୟରେ ନୂତନ ଭୋଟରଙ୍କ ନାମ ସମ୍ମିଳିତ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାହାର କରିବା ଓ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରା କାମ କରାଯିବ।
ଜୁନ୍ ୨୮ ସୁଦ୍ଧା ରାଜ୍ୟରେ ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ଗଠନ କାମ ମଧ୍ୟ ସରିବ। SIR ପରେ ରାଜ୍ୟରେ ମୋଟ ୪୫ ହଜାର ୨୫୫ଟି ବୁଥ୍ ରହିବ ଏବଂ ପ୍ରତ୍ୟେକ ବୁଥ୍ରେ ସର୍ବାଧିକ ୧୨୦୦ ଭୋଟର ରହିବେ ବୋଲି ସୂଚନା ମିଳିଛି। ଜୁଲାଇ ୫ରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବା ପରେ ଆଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ତା’ପରେ ସମସ୍ତ ଅଭିଯୋଗ ଓ ଆପତ୍ତିର ସମାଧାନ କରି ସେପ୍ଟେମ୍ବର ୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ଘରେ ଘରେ ସର୍ବେକ୍ଷଣ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ଅତିରିକ୍ତ ଡକ୍ୟୁମେଣ୍ଟ ଦେବାକୁ ପଡିବ ନାହିଁ। ନୂତନ ଭୋଟରଙ୍କ ପାଇଁ ବ୍ଲକ୍-୬ ଫର୍ମ ଉପଲବ୍ଧ ରହିବ। ବର୍ତ୍ତମାନ ସୁଦ୍ଧା ୯୪.୬୧ ପ୍ରତିଶତ ମ୍ୟାପିଂ କାମ ସମ୍ପୂର୍ଣ୍ଣ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
SIRର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ସଫା, ସଠିକ୍ ଓ ନିର୍ଭରଯୋଗ୍ୟ କରିବା। ଆଗାମୀ ନିର୍ବାଚନରେ ଯେପରି ସତ୍ୟିକାର ଭୋଟରମାନେ କୌଣସି ସମସ୍ୟା ବିନା ନିଜର ମତାଧିକାର ପ୍ରୟୋଗ କରିପାରିବେ, ସେଥିପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।
