ରାଜ୍ୟରେ ଆସନ୍ତାକାଲିଠୁ ଏସ୍ଆଇଆର୍ (SIR) ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏହା ଜୁନ ୨୮ ଯାଏଁ ଚାଲିବ। ଏହି ସମୟରେ ବୁଥ୍ ଲେଭେଲ୍ ଅଫିସର (BLO) ମାନେ ଘର ଘର ବୁଲି ଭୋଟର ଗଣନା ଓ ସତ୍ୟାପନ କାର୍ଯ୍ୟ କରିବେ। ଏଥିପାଇଁ ସମସ୍ତ BLOଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘରର ଗଣନା କରାଯିବ। ଏଥିପାଇଁ ୪୫,୨୫୫ ଜଣ BLO ନିଯୁକ୍ତ ହୋଇଛନ୍ତି। ଏହାସହ ୩୧,୦୨୬ ବୁଥ୍ ଲେଭେଲ୍ ଏଜେଣ୍ଟ ମଧ୍ୟ ନିୟୋଜିତ ଅଛନ୍ତି।
ନିର୍ବାଚନ ଆୟୋଗ ଅନୁଯାୟୀ, ପ୍ରତିଦିନ ସକାଳେ BLOମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ସନ୍ଧ୍ୟା ୩ଟାରୁ ୫ଟା ପର୍ଯ୍ୟନ୍ତ ବୁଥ୍ରେ ଉପସ୍ଥିତ ରହିବେ। ଏପର୍ଯ୍ୟନ୍ତ ୯୫% ଭୋଟର ତଥ୍ୟ ମ୍ୟାପିଂ ସମାପ୍ତ ହୋଇଛି।
ତଥ୍ୟ ଯାଞ୍ଚ ସମୟରେ ନାମ, ବୟସ ଓ ପିତାଙ୍କ ନାମ ସମ୍ବନ୍ଧୀୟ କିଛି ତ୍ରୁଟି (logical errors) ଚିହ୍ନଟ ହୋଇଛି, ଯାହାକୁ ଘର ଘର ସର୍ଭେ ସମୟରେ ସଂଶୋଧନ କରାଯିବ। ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ ଏବଂ ସଠିକ ଫଟୋ ଓ ସହି ସଂଗ୍ରହ କରାଯିବ।
