ପୁରୀ ବଡ଼ଦାଣ୍ଡରେ ଜୋରଦାର ଭାବେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ। ତିନିରଥର ପାଞ୍ଚଦଣ୍ଡା ନିର୍ମାଣ ସହ ମୁଖସାଲ କାମ ପ୍ରାୟ ଶେଷ ହୋଇଥିବାବେଳେ ପାର୍ଶ୍ୱଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ତିନିରଥର ଚେସିସ୍ ବା ଦଣ୍ଡା ଫ୍ରେମ୍ ନିର୍ମାଣ କାମ ମଧ୍ୟ ତ୍ୱରାନ୍ୱିତ ଭାବେ ଚାଲିଛି।
ଆଜି ପାଞ୍ଚଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ ଆଣି ମୁହାଁଟରେ ପାଞ୍ଚଟି ସାଲଗୁଜ ଓ ପଛ ଆଣି ମୁହାଁଟରେ ତିନୋଟି ଜଳଯନ୍ତ୍ର ସଂଯୋଗ କରାଯାଇଛି। ଏହାସହ ଦୁଇ ପାର୍ଶ୍ୱରେ କୋଣଗୁଜ ଉଠାଯାଇ ସେଥିରେ ନିରାଡି ସଂଯୋଗ କାମ ମଧ୍ୟ ସମ୍ପନ୍ନ ହୋଇଛି। ବର୍ତ୍ତମାନ ପାଞ୍ଚଦଣ୍ଡାର ଦୁଇ ପାର୍ଶ୍ୱରେ କୁଡ଼ିକା ସଂଯୋଗ କାର୍ଯ୍ୟ ଚାଲିଥିବାବେଳେ ପାର୍ଶ୍ୱଦଣ୍ଡା ସଂଯୋଗ ପ୍ରକ୍ରିୟା ଜାରି ରହିଛି।
ସେହିପରି ରଥକାମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବେ ପୋଲ ଗୟଳ ଚଉପଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କରତୀ ସେବକମାନେ ପ୍ରସ୍ତୁତ କରିଥିବା ୪୦ ଫୁଟିଆ ପୋଲ ଗୟଳର ଚଉପଟ କାର୍ଯ୍ୟକୁ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ମହାରଣା ସେବକମାନେ ଆରମ୍ଭ କରିଛନ୍ତି।
ରଥ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟକୁ ନେଇ ବଡ଼ଦାଣ୍ଡରେ ଚଞ୍ଚଳତା ବଢ଼ିଥିବାବେଳେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥଯାତ୍ରା ପାଇଁ ଉତ୍ସାହ ଦିନକୁ ଦିନ ବଢ଼ୁଛି।
