ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଉଦ୍ୟୋଗ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ, ରିଲାଏନ୍ସ ଫାଉଣ୍ଡେସନ ଓ ଗେଟ୍ସ ଫାଉଣ୍ଡେସନର ମିଳିତ ପ୍ରୟାସ ‘ସ୍ୱୟଂଶ୍ରୀ’ କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ‘ସ୍ୱୟଂଶ୍ରୀ କନକ୍ଲେଭ’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି।
ଏହି କନକ୍ଲେଭରେ ନୀତି ନିର୍ମାତା, ଶିଳ୍ପ କ୍ଷେତ୍ରର ପ୍ରତିନିଧି, ବିକାଶ ସଂଗଠନ, ଦାତବ୍ୟ ସଂସ୍ଥା ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ମହିଳା ନେତୃତ୍ୱାଧୀନ ଆଜୀବିକା ମଡେଲକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ।
ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର କହିଥିଲେ ଯେ, ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ସ୍ୱୟଂଶ୍ରୀ ଏକ ଫଳପ୍ରଦ ମଡେଲ ଭାବେ ଉଭା ହୋଇଛି। ଏହାର ସଫଳ ଅଭିଜ୍ଞତାକୁ ଆଧାର କରି ଆଗାମୀ ଦିନରେ ବଡ଼ ପରିସରରେ କାର୍ଯ୍ୟକାରୀ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।
ରିଲାଏନ୍ସ ଫାଉଣ୍ଡେସନର ମହିଳା ସଶକ୍ତିକରଣ ବିଭାଗ ମୁଖ୍ୟ ଏନ୍. ଦିପ୍ତୀ ରେଡ୍ଡୀ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪.୨ ଲକ୍ଷରୁ ଅଧିକ ମହିଳା ଆଧୁନିକ ପ୍ରଯୁକ୍ତି, ବଜାର ସଂଯୋଗ ଓ ଗୋଷ୍ଠୀଗତ ସହଯୋଗ ମାଧ୍ୟମରେ ପାରମ୍ପରିକ କୃଷିକୁ ଲାଭଜନକ ଉଦ୍ୟୋଗରେ ପରିଣତ କରିପାରିଛନ୍ତି।
ଗେଟ୍ସ ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ଯେ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସରକାର, ବେସରକାରୀ ସଂସ୍ଥା ଓ ସମୁଦାୟ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ। ଏହି ସହଭାଗିତା ମାଧ୍ୟମରେ ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଅଧିକ ଅର୍ଥନୈତିକ ସୁଯୋଗ ସୃଷ୍ଟି ହୋଇପାରିବ।
କନକ୍ଲେଭରେ “ମହିଳାଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ସର୍ବୋତ୍ତମ ଅଭ୍ୟାସ” ଶୀର୍ଷକ ଏକ ସାରାଂଶ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତତନ୍ତ, ଖୁଚୁରା ବ୍ୟବସାୟ ଓ ସେବା କ୍ଷେତ୍ରରେ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ସ୍ଥାନ ପାଇଛି।
ଏହାସହ ଏସଏଚଜି ଓ ଏଫପିଓ ମହିଳା ଉଦ୍ୟୋଗୀଙ୍କ ଉତ୍ପାଦ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ଅଂଶଗ୍ରହଣକାରୀମାନେ ମହିଳା ଉଦ୍ୟୋଗୀଙ୍କ ସଫଳତା ଓ ସ୍ୱୟଂଶ୍ରୀ କାର୍ଯ୍ୟକ୍ରମର ପ୍ରଭାବକୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ।
ସ୍ୱୟଂଶ୍ରୀ କାର୍ଯ୍ୟକ୍ରମ ଓଡ଼ିଶାରେ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଏବଂ ଉଦ୍ୟୋଗ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରୁଥିବା ବେଳେ, ଏହି କନକ୍ଲେଭ ଭବିଷ୍ୟତରେ ମହିଳା ନେତୃତ୍ୱାଧୀନ ବିକାଶ ମଡେଲକୁ ଆହୁରି ସୁଦୃଢ଼ କରିବାର ପଥ ପ୍ରଶସ୍ତ କରିଛି।
