ଖୋର୍ଦ୍ଧା ମଙ୍ଗଳାନଗରର ପ୍ରଜ୍ଞା ରାଣୀ ସାହୁ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍ (OAS) ପରୀକ୍ଷାରେ ସଫଳତା ହାସଲ କରି ପରିବାର ଓ ଅଞ୍ଚଳ ପାଇଁ ଗର୍ବର କାରଣ ହୋଇଛନ୍ତି। କିନ୍ତୁ ଏହି ସଫଳତାର ଖୁସି ମଧ୍ୟରେ ରହିଛି ଗଭୀର ବେଦନା। କାରଣ ଝିଅର ସଫଳତା ଦେଖିବା ପୂର୍ବରୁ ସେହି ସ୍ୱପ୍ନଦ୍ରଷ୍ଟା ବାପା ଆଉ ଏହି ପୃଥିବୀରେ ନାହାନ୍ତି।
ପ୍ରଜ୍ଞା ହେଲେ ସ୍ୱର୍ଗତ ପ୍ରମୋଦ କୁମାର ସାହୁଙ୍କ କନିଷ୍ଠ କନ୍ୟା। ପରିବାରର ସବୁଠୁ ସାନ ଝିଅ ହେବାରୁ ସମସ୍ତଙ୍କର ଅତ୍ୟନ୍ତ ଆଦରଣୀୟ ଥିଲେ। ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଦୀର୍ଘଦିନ ଧରି କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିଥିଲେ। ଶେଷରେ ସେ OAS ପରୀକ୍ଷାରେ ସଫଳତା ପାଇଛନ୍ତି।
ହେଲେ ଭାଗ୍ୟର ବିଡମ୍ବନା, ବାପାଙ୍କ ଦେହାନ୍ତର ମାତ୍ର ୨୧ ଦିନ ପରେ ପ୍ରଜ୍ଞାଙ୍କ ସଫଳତାର ଫଳ ପ୍ରକାଶ ପାଇଲା। ଏବେ ସେ ବାପାଙ୍କ ଫଟୋ ଧରି କାନ୍ଦୁଛନ୍ତି, ଫୁଲ ଓ ଚନ୍ଦନ ଅର୍ପଣ କରି ବାପାଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ବାପାଙ୍କ ପ୍ରତିଟି କଥା ଓ ସ୍ୱପ୍ନ ଆଜି ତାଙ୍କ ଆଖିରେ ଲୁହ ଆଣିଦେଇଛି।
ପ୍ରଜ୍ଞାଙ୍କ ସଫଳତାକୁ ନେଇ ପରିବାର, ବନ୍ଧୁ-ପରିଜନ ଓ ଅଞ୍ଚଳବାସୀ ଖୁସି ମନାଉଥିବା ବେଳେ ପ୍ରଜ୍ଞା କିନ୍ତୁ ବାପାଙ୍କ ଅଭାବକୁ ଗଭୀର ଭାବେ ଅନୁଭବ କରୁଛନ୍ତି। ବିଧାୟକ ପ୍ରଦୀପ କୁମାର ସାହୁ ସହ ବହୁ ବନ୍ଧୁ-ପରିଜନ ତାଙ୍କ ଘରକୁ ପହଞ୍ଚି ଅଭିନନ୍ଦନ ଜଣାଇଥିଲେ। ସେମାନେ କହିଥିଲେ, ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଆଶୀର୍ବାଦ ଓ ପ୍ରଜ୍ଞାଙ୍କ କଠିନ ପରିଶ୍ରମ ଏହି ସଫଳତାର ମୂଳ କାରଣ।
ପ୍ରଜ୍ଞାଙ୍କ ଏହି ସଫଳତା ଆଜି ଅନେକ ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିଛି।
