ଭାରତୀୟ ପାଣିପାଗ ବିଭାଗ (IMD)ର ସେଶ ଅପଡେଟ୍ ଅନୁଯାୟୀ, ସୋମବାର ଦିନ ଦେଶର ଆବହାଓଆରେ ଦୁଇଟି ବିପରୀତ ପରିସ୍ଥିତି ଦେଖାଯିବ। ଉତ୍ତର-ପୂର୍ବ, ପୂର୍ବ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଅନ୍ୟପଟେ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରବାହ (ହିଟୱେଭ୍) ଜାରି ରହିବା ସହିତ ଗରମର ପ୍ରଭାବ ଆହୁରି ତୀବ୍ର ହେବ।
ପାଣିପାଗ ବିଭାଗ ଆଗାମୀ ଦିନଗୁଡ଼ିକରେ ଅନେକ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି। ବିହାର ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ବଜ୍ରପାତ ସହ ପ୍ରବଳ ପବନ ବହିପାରେ।
ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ସହ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ତୀବ୍ର ହେବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ 40–50 କି.ମି./ଘଣ୍ଟା ବେଗରେ ପବନ ବହିପାରେ। ପଶ୍ଚିମବଙ୍ଗ ଓ ସିକିମ ପାଇଁ ମଧ୍ୟ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି।
ଦକ୍ଷିଣ ଭାରତର କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ଜାରି ରହିବ। କେରଳ ଓ ଲକ୍ଷଦ୍ୱୀପରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମେଘାଛାଦିତ ଆକାଶ ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
ଏହି ସମୟରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ହିଟୱେଭ୍ ପ୍ରଭାବ ଜାରି ରହିବ। କେତେକ ଅଞ୍ଚଳରେ ତାପମାତ୍ରା ସାଧାରଣଠାରୁ ବହୁତ ଅଧିକ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ଦୁପୁର ସମୟରେ ବାହାରକୁ ନଯିବା, ପ୍ରଚୁର ପାଣି ପିଇବା ଏବଂ ସତର୍କତା ଅବଳମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
