ବାରିପଦାସ୍ଥିତ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ପ୍ରତିଦିନ ଆସୁଥିବା ରୋଗୀ ଏବଂ ସେମାନଙ୍କ ସହାୟକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମୌଳିକ ସମସ୍ୟାର ଶୀଘ୍ର ସମାଧାନ ଦାବି କରି ସୋସିଆଲ ୱେଲଫେୟାର ଫୋରମ୍, ବାରିପଦା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଫୋରମ୍ ପକ୍ଷରୁ କୁହାଯାଇଛି ଯେ, ନିକଟରେ ସଦସ୍ୟମାନେ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀ ଓ ସହାୟକମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ହସ୍ପିଟାଲ୍କୁ ଆସୁଥିବା ସାଧାରଣ ଲୋକ ବିଭିନ୍ନ ମୌଳିକ ସୁବିଧାର ଅଭାବରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସମଗ୍ର ମୟୂରଭଞ୍ଜ ଜିଲ୍ଲା ପାଇଁ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଏକ ପ୍ରମୁଖ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ହୋଇଥିବାରୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କ ସହାୟକ ଏଠାକୁ ଆସୁଛନ୍ତି। କିନ୍ତୁ ଯାତାୟାତ, ଖାଦ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ସେମାନଙ୍କ ଦୈନନ୍ଦିନ ଜୀବନକୁ କଷ୍ଟଦାୟକ କରୁଛି। ଫୋରମ୍ ପକ୍ଷରୁ ମୁଖ୍ୟତଃ ପାଞ୍ଚଟି ଦାବି ଉପସ୍ଥାପନ କରାଯାଇଛି।
ବାରିପଦା ବସ୍ ଷ୍ଟାଣ୍ଡରୁ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ପର୍ଯ୍ୟନ୍ତ ନିୟମିତ “ଆମ ବସ୍” ସେବା ଚଳାଚଳ, ହସ୍ପିଟାଲ୍ ନିକଟରେ ରିହାତି ଦରରେ “ଆହାର କେନ୍ଦ୍ର” ସ୍ଥାପନ, ପାଳବଣିରୁ ମେଡିକାଲ୍ କଲେଜ୍ ପର୍ଯ୍ୟନ୍ତ ରାସ୍ତାରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ସହାୟକମାନଙ୍କ ପାଇଁ ସାଧାରଣ ଶୌଚାଳୟ ନିର୍ମାଣ ଏବଂ ଦର୍ଶନାର୍ଥୀ ଓ ସହାୟକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଫୋରମ୍ ଆହୁରି କହିଛି ଯେ, ଏହି ସମସ୍ତ ସୁବିଧା ଯୋଗାଇ ଦିଆଗଲେ ଗରିବ ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସହାୟକମାନେ ବହୁ ପରିମାଣରେ ଉପକୃତ ହେବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

Total Users : 1000778