ସାରା ଓଡ଼ିଶା ଏବେ ତାତିରେ ସିଜୁଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅନେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ତାତି ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରାତିରେ ମଧ୍ୟ ଗରମରୁ ମିଳୁନି ନିସ୍ତାର।
ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସମ୍ବଲପୁର ଓ ବଲାଙ୍ଗୀରରେ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।
ଏହାସହ କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଉଷ୍ମ ଓ ଆଦ୍ର ପାଗ ପାଇଁ ସତର୍କତା ଜାରି ହୋଇଛି। ଉପକୂଳ ଓଡ଼ିଶାରେ ଗରମ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ପାଣିପାଗ ବିଭାଗ ଅନୁସାରେ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ବଜ୍ରପାତ ସହ ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଆଉ ୨୦ଟି ଜିଲ୍ଲାରେ ବଜ୍ରପାତ ଓ ଝଟକା ପବନ ସହ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତାତିର ପ୍ରକୋପ ଜାରି ରହିବା ସହ ୨୬ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସକ୍ରିୟ ରହିପାରେ ବୋଲି ଆକଳନ କରାଯାଇଛି।
ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ସମ୍ବଲପୁରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫ ଡିଗ୍ରୀ, ସୋନପୁରରେ ୪୩.୯ ଡିଗ୍ରୀ, ବରଗଡ଼ରେ ୪୩.୮ ଡିଗ୍ରୀ ଓ ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ସବୁଠାରୁ ଅଧିକ ଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି।
ଡାକ୍ତରମାନେ ଦିନ ସମୟରେ ଅତ୍ୟାବଶ୍ୟକ କାମ ଛଡ଼ା ବାହାରକୁ ନଯିବା, ପ୍ରଚୁର ପାଣି ପିଇବା ଓ ଶରୀରକୁ ହାଇଡ୍ରେଟ୍ ରଖିବାକୁ ପରାମର୍ଶ ଦେଇଛନ୍ତି।
