ସମ୍ବଲପୁରର ବୁର୍ଲା ଅଞ୍ଚଳରେ ପୋଲିସ ଓ ଜଣେ କୁଖ୍ୟାତ ଅପରାଧୀ ମନିଷ ସାହୁ ମଧ୍ୟରେ ଏନକାଉଣ୍ଟର ଘଟିଛି। ରାତିରେ ଯାନବାହନ ଯାଞ୍ଚ ସମୟରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ଗୁରୁତର ଆହତ ହୋଇଛି।
ସୂଚନା ଅନୁସାରେ, ବୁର୍ଲା ପୋଲିସ ଥାନା ଅନ୍ତର୍ଗତ ପ୍ଲାନେଟାରିଅମ୍ ଛକରେ ପୋଲିସ ଚେକିଂ ଚାଲୁଥିବା ବେଳେ ମନିଷ ସାହୁ ଅଟକାଇବାକୁ ଚେଷ୍ଟା କରି ପଳାଇବା ଉଦ୍ୟମ କରିଥିଲେ। ଏହି ସମୟରେ ସେ ପୋଲିସ ଉପରେ ଗୁଳିଚାଳନା କରିଥିବା ଜଣାପଡ଼ିଛି। ପରେ ପୋଲିସ ପକ୍ଷରୁ ନିୟନ୍ତ୍ରିତ ପ୍ରତିଆକ୍ରମଣ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତଙ୍କ ଡାହାଣ ପାଏଁରେ ଗୁଳି ଲାଗିଛି।
ଗୁରୁତର ଆହତ ମନିଷ ସାହୁକୁ ତୁରନ୍ତ ବୁର୍ଲା ଭିମସାର ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ଏହାସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ହୋଇଥିବା ବିଶେଷ ଅଭିଯାନରେ ବିଭିନ୍ନ ଜିଲ୍ଲାରେ କଡା କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଅନେକ ଅପରାଧୀଙ୍କୁ ଗିରଫ କରାଯାଇଛି, ମାଦକଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏନଏସଏ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି।
