ଭୁବନେଶ୍ୱର ବିମାନବନ୍ଦରରେ ଇବୋଲା ସତର୍କତାକୁ ନେଇ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ବିମାନବନ୍ଦରରେ ନଜରଦାରି ଆହୁରି କଡ଼ା କରାଯାଇଛି। ବିଶେଷକରି ବ୍ୟାଙ୍କକ୍ରୁ ଆସୁଥିବା ଯାତ୍ରୀଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଗଭୀର ନଜର ରଖିଛନ୍ତି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ସେବା ଚାଲୁଥିଲେ ମଧ୍ୟ ବର୍ତ୍ତମାନ କେବଳ ବ୍ୟାଙ୍କକ୍ ସହ ଆନ୍ତର୍ଜାତୀୟ ବିମାନ ଚଳାଚଳ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କକ୍ରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାତ୍ରା ଇତିହାସ ଯାଞ୍ଚ କରାଯାଉଛି। ଗତ ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ସହ ଅନ୍ୟାନ୍ୟ ସୂଚନା ଖତିଆନ କରାଯାଉଥିବାବେଳେ ସନ୍ଦେହଜନକ ଲକ୍ଷଣ ଦେଖାଦେଲେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବିଶ୍ୱସ୍ତରରେ ୬୦୦ରୁ ଅଧିକ ଇବୋଲା ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାରତରେ କୌଣସି ମାମଲା ସ୍ଥିର ହୋଇନାହିଁ। ତଥାପି ସତର୍କତାମୂଳକ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ବିମାନବନ୍ଦର ପାଇଁ ବିଶେଷ ଗାଇଡଲାଇନ୍ ଜାରି କରିଛି। ଏହାଅନୁଯାୟୀ ଆନ୍ତର୍ଜାତୀୟ ଯାତ୍ରୀଙ୍କ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସନ୍ଦେହଜନକ ଯାତ୍ରୀଙ୍କୁ ତୁରନ୍ତ ଅଲଗା କରି ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେହି ଦେଶ ମାଧ୍ୟମରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ହେଲ୍ଥ ଆଡଭାଇଜରି ଜାରି କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସେସ୍ ପକ୍ଷରୁ ଏହି ସତର୍କତା ଜାରି ହୋଇଥିଲା।
