ଚା’… କେବଳ ଏକ ପାନୀୟ ନୁହେଁ, ବରଂ ଅନେକଙ୍କ ଦୈନନ୍ଦିନ ଜୀବନର ଅଂଶ। ସକାଳର ଗୋଟିଏ କପ୍ ଚା’ ଦିନଟିକୁ ସତେଜ କରିଦିଏ। ପ୍ରତିବର୍ଷ ମେ ୨୧ ତାରିଖରେ ‘ଆନ୍ତର୍ଜାତୀୟ ଚା’ ଦିବସ’ ପାଳନ କରାଯାଏ। ଏହି ଦିନଟି ଚା’ର ସମୃଦ୍ଧ ପରମ୍ପରା, ସ୍ୱାଦ, ସଂସ୍କୃତି ଓ ଏହାର ଅର୍ଥନୈତିକ ଗୁରୁତ୍ୱକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ।
ଭାରତର ଆସାମ ଓ ଦାର୍ଜିଲିଙ୍ଗ ଚା’ ସମଗ୍ର ବିଶ୍ୱରେ ବିଶେଷ ପରିଚିତ। ବର୍ତ୍ତମାନ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଚା’ ଉତ୍ପାଦକ ଦେଶ ଭାବେ ପରିଚିତ, ଯେଉଁଠାରେ ଚୀନ୍ ପ୍ରଥମ ସ୍ଥାନରେ ଅଛି। ପ୍ରଥମେ ୨୦୦୫ ମସିହା ଡିସେମ୍ବର ୧୫ରେ ଆନ୍ତର୍ଜାତୀୟ ଚା’ ଦିବସ ପାଳନ ହୋଇଥିଲା। ପରେ ଭାରତର ପ୍ରସ୍ତାବକୁ ଗ୍ରହଣ କରି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ୨୦୧୯ରୁ ପ୍ରତିବର୍ଷ ମେ ୨୧କୁ ଆନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
ଭାରତ, ଶ୍ରୀଲଙ୍କା, ଚୀନ୍, ଜାପାନ, ଇଣ୍ଡୋନେସିଆ, ନେପାଳ ଓ ବାଙ୍ଗ୍ଲାଦେଶ ଭଳି ଦେଶଗୁଡ଼ିକ ଚା’ ବ୍ୟବସାୟରେ ଅଗ୍ରଣୀ। ଏହି ଶିଳ୍ପ ସହ ଲକ୍ଷାଧିକ ଲୋକଙ୍କ ଜୀବିକା ଜଡିତ ଅଛି।
ଗ୍ରୀନ୍ ଟି, ବ୍ଲାକ୍ ଟି, ଉଲଙ୍ଗ୍ ଟି ଓ ହର୍ବାଲ୍ ଟି ଭଳି ବିଭିନ୍ନ ପ୍ରକାରର ଚା’ରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଥାଏ। ଏହା ଶରୀରକୁ ସତେଜ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଚା’ ହୃଦୟ ସ୍ୱାସ୍ଥ୍ୟକୁ ସୁଧାରେ, ପାଚନ କ୍ରିୟାରେ ସହାୟକ ହୁଏ ଓ ମାନସିକ ଚାପ କମାଇ ଶରୀରକୁ ଆରାମ ଦେଇଥାଏ।
ଚା’ ପିଇବା ବେଳେ ରଖନ୍ତୁ ସତର୍କତା
- ଲେମ୍ବୁ ପାଣି ପିଇସାରି ସତେଜ ଚା’ ପିଇବା ଉଚିତ୍ ନୁହେଁ। ଏଥିରୁ ଆମ୍ଳତା ସମସ୍ୟା ହୋଇପାରେ।
- ଭୋଜନ କରିସାରି ସହଜରେ ଚା’ ପିଇବା ହଜମ କ୍ରିୟାକୁ ପ୍ରଭାବିତ କରେ।
- ଅତ୍ୟଧିକ ଗରମ ଚା’ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
- ଠଣ୍ଡା ପାନୀୟ କିମ୍ବା ଖାଦ୍ୟ ଖାଇସାରି ତୁରନ୍ତ ଚା’ ପିଇବା ଉଚିତ୍ ନୁହେଁ।
- ବେସନ୍ କିମ୍ବା ମୈଦା ଜାତୀୟ ଖାଦ୍ୟ ପରେ ଅଧିକ ଚା’ ପିଇଲେ ପାଚନ ସମସ୍ୟା ହୋଇପାରେ।
ଚା’ କେବଳ ସ୍ୱାଦର ନୁହେଁ, ସମ୍ପର୍କ ଓ ସଂସ୍କୃତିର ମଧ୍ୟ ଏକ ସୁନ୍ଦର ପ୍ରତୀକ। ଏକ କପ୍ ଚା’ ଅନେକ ସମୟରେ କ୍ଲାନ୍ତି ଦୂର କରିବା ସହ ସମ୍ପର୍କକୁ ଆହୁରି ମଜବୁତ କରିଥାଏ।
