ବର୍ଷା ଓ ବନ୍ୟାରେ ଆସାମ-ଗୁଜରାଟ ଅସ୍ତବ୍ୟସ୍ତ, ହଜାର ହଜାର ପରିବାର ପ୍ରଭାବିତ

Table of Content

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ରାଜ୍ୟ ଆସାମ ଓ ଗୁଜରାଟରେ ଲଗାତାର ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ବନ୍ୟା ଓ ଭୂସ୍ଖଳନରେ ଦୁଇ ରାଜ୍ୟରେ ମୋଟ ୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି ଘେରରେ ଶହ ଶହ ଗାଁ ଫସି ରହିଥିବାରୁ ଅନେକ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ହୋଇପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଟିମ୍, NDRF, SDRF ଓ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA)ର ସୂଚନା ଅନୁସାରେ, ରାଜ୍ୟରେ ବନ୍ୟା ଯୋଗୁଁ ୬୨ ଜଣଙ୍କ ପ୍ରାଣହାନି ଘଟିଛି। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି। ଚରାଇଦେବ ଜିଲ୍ଲାରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶିବସାଗରରେ ୬ ଓ ଜୋରହାଟରେ ଜଣେ ପ୍ରାଣ ହରାଇଛନ୍ତି। ଶିବସାଗରରେ ଜଣେ ବ୍ୟକ୍ତି ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସାମର ୧୨ଟି ଜିଲ୍ଲା ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶିବସାଗର, ଚରାଇଦେବ, ଜୋରହାଟ, ଗୋଲାଘାଟ, ଡିବ୍ରୁଗଡ଼, ନଗାଓଁ, ଧେମାଜୀ, ହୋଜାଇ, ସୋନିତପୁର, କାମରୂପ ମହାନଗର ଓ କାର୍ବି ଆଙ୍ଗଲୋଙ୍ଗ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ୭ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବରେ ଥିବାବେଳେ ୮୫୬ଟି ଗାଁ ପାଣି ଘେରରେ ରହିଛି। କେବଳ ଶିବସାଗର ଜିଲ୍ଲାରେ ୩.୪୮ ଲକ୍ଷରୁ ଅଧିକ, ଚରାଇଦେବରେ ୧.୮୮ ଲକ୍ଷ ଓ ଜୋରହାଟରେ ୧.୨୬ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଅନେକ ରାସ୍ତା, ସେତୁ ଓ କୃଷିଜମି ଜଳମଗ୍ନ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଅନ୍ୟପକ୍ଷରେ, ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ନବସାରୀ ଜିଲ୍ଲାରେ ସର୍ବାଧିକ ୧୫ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ବଲସାଦରେ ୭, ଖେଡ଼ାରେ ୪ ଏବଂ ସୁରତ ଓ ଅମରେଲିରେ ୨ ଜଣ ଲେଖାଏଁ ମୃତ୍ୟୁ ଘଟିଛି। ଦକ୍ଷିଣ ଗୁଜରାଟର ନବସାରୀ ଓ ବଲସାଦ ଜିଲ୍ଲାରେ ବନ୍ୟା ସ୍ଥିତି ସବୁଠାରୁ ଅଧିକ ଗମ୍ଭୀର ରହିଛି।

ଗୁଜରାଟ ସରକାରଙ୍କ ସୂଚନା ଅନୁସାରେ, ୨୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୩୫୨ ଜଣଙ୍କୁ ବନ୍ୟା ପାଣିରୁ ଉଦ୍ଧାର କରାଯାଇଥିବାବେଳେ ନବସାରୀ ଜିଲ୍ଲାରେ ବାୟୁସେନାର ହେଲିକପ୍ଟର ସହାୟତାରେ ୬୦ ଜଣଙ୍କୁ ଏୟାରଲିଫ୍ଟ କରାଯାଇଛି। ବନ୍ୟାର ପ୍ରଭାବରେ ଅନେକ ଜାତୀୟ ରାଜପଥ, ରେଳପଥ ଓ ସହରାଞ୍ଚଳର ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍ ବାତିଲ୍ ଓ ବିଳମ୍ବରେ ଚଳାଚଳ କରୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପାଣିପାଗ ବିଭାଗ ଆଗାମୀ କିଛି ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ବ୍ୟକ୍ତ କରିଥିବାରୁ ଉଭୟ ରାଜ୍ୟରେ ସତର୍କତା ବଢ଼ାଯାଇଛି। ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖାଯାଉଥିବାବେଳେ ନିମ୍ନାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ରିଲିଫ୍ କ୍ୟାମ୍ପଗୁଡ଼ିକରେ ପୀଡ଼ିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779