ଓଡ଼ିଶାରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ଏବଂ Ease of Doing Business କୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (IDCO) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। IDCO ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ ବୈଠକରେ ରାଜ୍ୟର ଶିଳ୍ପ ବିକାଶ, ଭିତ୍ତିଭୂମି ସୁଧାର, ଜମି ଆବଣ୍ଟନ, ବିଦ୍ୟୁତ, ଜଳଯୋଗାଣ ଓ ଲଜିଷ୍ଟିକ୍ସ ବ୍ୟବସ୍ଥା ଉପରେ ବ୍ୟାପକ ଆଲୋଚନା ହୋଇଛି। ବୈଠକରେ ବିଭିନ୍ନ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, MSME ସଂଗଠନ ଓ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, ଶିଳ୍ପ ସଂସ୍ଥାମାନଙ୍କ ସହ ନିୟମିତ ଆଲୋଚନା, ସ୍ୱଚ୍ଛ ପ୍ରଶାସନ ଏବଂ ତ୍ୱରିତ ସମସ୍ୟା ସମାଧାନ IDCOର ପ୍ରାଥମିକତା ରହିଛି। ଏହା ମାଧ୍ୟମରେ ରାଜ୍ୟରେ ଅଧିକ ନିବେଶ ଆକର୍ଷଣ ସହ ଏକ ପ୍ରତିଯୋଗିତାମୂଳକ ଶିଳ୍ପ ପରିବେଶ ସୃଷ୍ଟି କରାଯିବ। ଗତ ଦୁଇ ବର୍ଷରେ IDCO ପ୍ରାୟ ୬ ହଜାର ଏକର ଜମିକୁ ଶିଳ୍ପ ଭୂମି ବ୍ୟାଙ୍କରେ ସାମିଲ କରିଥିବା ବେଳେ ବୃହତ୍ ଓ ମଧ୍ୟମ ଶିଳ୍ପ ପାଇଁ ୬,୦୨୭ ଏକର ଜମି ହସ୍ତାନ୍ତର କରିଛି। ଏହା ସହ ୯୩ଟି ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରାଯାଇଛି।
ରାଜ୍ୟରେ ଇଲେକ୍ଟ୍ରୋନିକ୍ସ, ବୟନ, ପ୍ଲାଷ୍ଟିକ୍, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ଆଲୁମିନିୟମ୍ ଭିତ୍ତିକ ଶିଳ୍ପ ପାଇଁ ସ୍ୱତନ୍ତ୍ର ପାର୍କ ଗଢ଼ି ଉଠୁଛି। ବର୍ତ୍ତମାନ ପ୍ରାୟ ୩,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୪୭ଟି ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପ ଚାଲୁ ରହିଛି। ଏହା ସହ IIDF ଓ SFC ଯୋଜନାରେ ପ୍ରାୟ ୧,୮୭୦ କୋଟି ଟଙ୍କାର ୧୧୭ଟି ନୂତନ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି। IDCO ବର୍ତ୍ତମାନ ୧୫୦ଟି ଶିଳ୍ପାଞ୍ଚଳ ଓ MSME ପାର୍କ ପରିଚାଳନା କରୁଥିବା ବେଳେ ସେଠାରେ ୬,୬୬୧ଟି ଶିଳ୍ପ ୟୁନିଟ୍ କାର୍ଯ୍ୟରତ ଅଛି।
ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ସରଳ କରିବା ପାଇଁ IDCO ପକ୍ଷରୁ ଅନେକ ପ୍ରଶାସନିକ ସଂସ୍କାର କରାଯାଉଛି। ଶିଳ୍ପ ଭବନ, IT ପ୍ରତିଷ୍ଠାନ ଓ ଫ୍ଲାଟେଡ୍ ଫ୍ୟାକ୍ଟରୀ ପାଇଁ ନିୟମ ସରଳୀକରଣ କରାଯାଇଛି। ଏହା ସହ ଶିଳ୍ପ ଭୂମି ବ୍ୟାଙ୍କର ସମସ୍ତ ତଥ୍ୟକୁ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ଉପଲବ୍ଧ କରାଇବା ଯୋଜନା ରହିଛି। ଜମି ଆବଣ୍ଟନ ପରେ ଶୀଘ୍ର ଲିଜ୍ ଓ ଦଖଲ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
ବୈଠକରେ ଶିଳ୍ପାଞ୍ଚଳରେ ଜଳଯୋଗାଣ, ବିଦ୍ୟୁତ, ଡ୍ରେନେଜ୍ ଓ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଜଳଯୋଗାଣ ସମସ୍ୟାର ସମାଧାନ ହୋଇଥିବା ବେଳେ ଇନ୍ଫୋସିଟିରେ ବହୁସ୍ତରୀୟ ପାର୍କିଂ ଓ ବିଭିନ୍ନ ଶିଳ୍ପାଞ୍ଚଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି। ୟୁସିସିଆଇ, CII, FICCI, ASSOCHAM, ICC ଓ NASSCOM ଭଳି ପ୍ରମୁଖ ସଂଗଠନର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

Total Users : 1000778