ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାର ବନ୍ୟଜନ୍ତୁ ଆକ୍ରମଣରୁ ଜନଜୀବନ ଓ ଫସଲ ସୁରକ୍ଷା ପାଇଁ କୋଟିକୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ଏହାର ବାସ୍ତବ ପ୍ରଭାବ ମାଟିରେ ଦେଖାଯାଉନାହିଁ। ଦାୟିତ୍ୱରେ ଥିବା ବନ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ।
ଏହି ପରିସ୍ଥିତିରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କୋଠଭୂଇଁ ପଞ୍ଚାୟତର ଲଇମୁଣ୍ଡା ଗାଁର ୩୨ଟି ପରିବାର ନିଜସ୍ୱ ପ୍ରୟାସରେ ଗାଁ ଓ ଚାଷ ଜମିକୁ ସୁରକ୍ଷା କରିବାକୁ ଆଗେଇ ଆସିଛନ୍ତି। ବନ୍ୟଜନ୍ତୁଙ୍କ ନିୟମିତ ଉପଦ୍ରବ, ଫସଲ ନଷ୍ଟ ଓ ମଣିଷ ଉପରେ ଆକ୍ରମଣ ଭଳି ସମସ୍ୟାରେ ଜର୍ଜରିତ ହୋଇ, ଶେଷରେ ଗାଁ ଲୋକେ ନିଜ ଖର୍ଚ୍ଚରେ ସୋଲାର ବାଡ଼ ନିର୍ମାଣ ଆରମ୍ଭ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ବାଡ଼ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ୫ କିଲୋମିଟର କାମ ପାଇଁ ଯୋଜନା ଚାଲିଛି। ପ୍ରତି ପରିବାର ଠାରୁ ୨ ହଜାର ଟଙ୍କା ଆଦାୟ କରି ତାର, ଇନ୍ସୁଲେଟର ଓ ସୋଲାର ମେସିନ ଭଳି ସାମଗ୍ରୀ କ୍ରୟ କରାଯାଇଛି। ଏହାସହ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟ ଶ୍ରମଦାନ କରୁଛନ୍ତି, ଯଦି କେହି ଅନୁପସ୍ଥିତ ରହନ୍ତି ତେବେ ଦୈନିକ ୪୦୦ ଟଙ୍କା ଦଣ୍ଡ ରୂପେ ଦେବା ବ୍ୟବସ୍ଥା ମଧ୍ୟ ରହିଛି।
ସରକାରୀ ଯୋଜନା ଓ ବନ ବିଭାଗର ସହାୟତା ଅପର୍ଯ୍ୟାପ୍ତ ଥିବା ଅଭିଯୋଗ ମଧ୍ୟରେ ଗାଁ ଲୋକଙ୍କ ଏହି ସ୍ୱୟଂପ୍ରେରିତ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି। ତଥାପି ଗ୍ରାମବାସୀଙ୍କ ମତରେ ସରକାର ଓ ବନ ବିଭାଗର ସକ୍ରିୟ ସହଯୋଗ ମିଳିଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ।

Total Users : 1000779