ଶିଶୁ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, NFHS ରିପୋର୍ଟରେ ଓଡ଼ିଶାର ଚିତ୍ର ଉଦ୍‌ଘାଟିତ

Table of Content

NFHS-6 ରିପୋର୍ଟରେ ଚିନ୍ତାଜନକ ଚିତ୍ର: ଓଡ଼ିଶାରେ ବଢ଼ୁଛି ଶିଶୁ ଅପପୋଷଣ, ଡାଇବେଟିସ୍ ଓ ତମାଖୁ ସେବନ

ଭୁବନେଶ୍ୱର: ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ (NFHS-6) 2023-24 ରିପୋର୍ଟ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପୋଷଣ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆଣିଛି। ବିଶେଷକରି ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ଅପପୋଷଣ ସମସ୍ୟା ଆହୁରି ଗମ୍ଭୀର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଉଚ୍ଚତା ଅନୁସାରେ ଓଜନ କମ୍ ଥିବା ଶିଶୁ (Wasted Children)ଙ୍କ ହାର 2019-21 ମସିହାର 18.1 ପ୍ରତିଶତରୁ ବୃଦ୍ଧି ପାଇ 2023-24ରେ 22.1 ପ୍ରତିଶତରେ ପହଞ୍ଚିଛି। ସେହିପରି ବୟସ ଅନୁସାରେ ଓଜନ କମ୍ ଥିବା (Underweight) ଶିଶୁଙ୍କ ସଂଖ୍ୟା 29.7 ପ୍ରତିଶତରୁ ବଢ଼ି 31.6 ପ୍ରତିଶତ ହୋଇଛି। ଅନ୍ୟପକ୍ଷରେ ବୟସ ଅନୁସାରେ ଉଚ୍ଚତା କମ୍ ଥିବା (Stunted) ଶିଶୁଙ୍କ ହାର 26.8 ପ୍ରତିଶତ ରହିଛି, ଯାହା ରାଜ୍ୟରେ ଶିଶୁ ପୋଷଣ ଓ ସ୍ୱାସ୍ଥ୍ୟ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି।

ବିଶେଷଜ୍ଞମାନଙ୍କ ମତରେ, ଅପପୋଷଣ କେବଳ ଶିଶୁଙ୍କ ଶାରୀରିକ ବିକାଶକୁ ପ୍ରଭାବିତ କରୁନାହିଁ, ବରଂ ସେମାନଙ୍କର ମାନସିକ ବିକାଶ ଓ ଭବିଷ୍ୟତ ଶିକ୍ଷାଗତ କ୍ଷମତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏହି ତଥ୍ୟ ରାଜ୍ୟ ସରକାରଙ୍କ ପୋଷଣ ଯୋଜନା ଓ ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକାରିତାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ସେପଟେ, ତମାଖୁ ଓ ମଦ୍ୟପାନ ବ୍ୟବହାର ମଧ୍ୟ ଚିନ୍ତା ବଢ଼ାଇଛି। ଓଡ଼ିଶାରେ 22.8 ପ୍ରତିଶତ ମହିଳା ଓ 48.3 ପ୍ରତିଶତ ପୁରୁଷ କୌଣସି ନ କୌଣସି ରୂପରେ ତମାଖୁ ବ୍ୟବହାର କରୁଛନ୍ତି। ଏହାସହ 26.8 ପ୍ରତିଶତ ପୁରୁଷ ଏବଂ 3.1 ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ତଥ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି।

ଡାଇବେଟିସ୍ ବା ଉଚ୍ଚ ରକ୍ତ ଶର୍କରା (High Blood Sugar) ମାମଲାରେ ମଧ୍ୟ ଓଡ଼ିଶାର ସ୍ଥିତି ଚିନ୍ତାଜନକ। 15 ବର୍ଷରୁ ଅଧିକ ବୟସର ମହିଳାଙ୍କ ମଧ୍ୟରେ ହାଇ ବ୍ଲଡ୍ ସୁଗାର ହାର 14 ପ୍ରତିଶତରୁ ବଢ଼ି 21.7 ପ୍ରତିଶତରେ ପହଞ୍ଚିଛି। ସେହିପରି 25 ବର୍ଷରୁ ଅଧିକ ପୁରୁଷଙ୍କ ମଧ୍ୟରେ ଏହି ହାର 17 ପ୍ରତିଶତରୁ ବୃଦ୍ଧି ପାଇ 26.6 ପ୍ରତିଶତ ହୋଇଛି। ଜୀବନଶୈଳୀର ପରିବର୍ତ୍ତନ, ଅନିୟମିତ ଖାଦ୍ୟାଭ୍ୟାସ ଓ ଶାରୀରିକ ପରିଶ୍ରମର ଅଭାବକୁ ଏହାର ମୁଖ୍ୟ କାରଣ ବୋଲି ଧରାଯାଉଛି।

ତେବେ ରିପୋର୍ଟରେ କିଛି ସକାରାତ୍ମକ ଦିଗ ମଧ୍ୟ ସାମ୍ନାକୁ ଆସିଛି। ଦେଶରେ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ 87 କୁ ହ୍ରାସ ପାଇଥିବା ବେଳେ ହସ୍ପିଟାଲରେ ସନ୍ତାନ ପ୍ରସବ ହାର 88.6 ପ୍ରତିଶତରୁ ବଢ଼ି 90.6 ପ୍ରତିଶତରେ ପହଞ୍ଚିଛି। ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟ ବୀମା ଯୋଜନା ଓ ଚିକିତ୍ସା ସେବାର ବିସ୍ତାର ଏହା ପଛରେ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।

NFHS-6 ରିପୋର୍ଟ ସ୍ପଷ୍ଟ କରିଛି ଯେ, ଓଡ଼ିଶାରେ ଶିଶୁ ପୋଷଣ, ଅସଂକ୍ରାମକ ରୋଗ ନିୟନ୍ତ୍ରଣ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ଆହୁରି ସଂଗଠିତ ଓ ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ରିପୋର୍ଟରେ ଉଠିଥିବା ଏହି ତଥ୍ୟଗୁଡ଼ିକ ରାଜ୍ୟର ସ୍ୱାସ୍ଥ୍ୟ ନୀତି ଓ ଭବିଷ୍ୟତ ଯୋଜନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସଙ୍କେତ ଭାବେ ଦେଖାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779