ଗଙ୍ଗୁଆ ଓଭରବ୍ରିଜ ଉପରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀ କେନାଲ ରୋଡ୍ ଅଭିମୁଖେ ଯିବା ପାଇଁ ଏକ କାର ଟର୍ଣ୍ଣ ନେଉଥିବା ସମୟରେ ପଛପଟୁ ଆସୁଥିବା ଏକ ନରହନ୍ତା ହାଇୱା ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା।
ଧକ୍କାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ କାରଟିକୁ ଟ୍ରକ୍ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା। ଘଟଣା ସମୟରେ କାରରେ ଥିବା ଦାଦା ଓ ଝିଆରୀ ଅଳ୍ପକେ ଜୀବନରେ ବଞ୍ଚିଯାଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଆତଙ୍କରେ ପଡ଼ିଛନ୍ତି।
ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ସହିତ ସ୍ଥାନ ଛାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଞ୍ଚେଶ୍ୱର ଥାନା ପୋଲିସ ତୁରନ୍ତ ତଦନ୍ତ କରି ପାହାଳ ନିକଟରୁ ଟ୍ରକକୁ ଧରିବାରେ ସଫଳ ହୋଇଥିଲା।
ପ୍ରାଥମିକ ସୂଚନା ଅନୁସାରେ ଏହା ଅତ୍ୟଧିକ ଗତି ଏବଂ ଅବଧାନ ଅଭାବରୁ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ ଏବେ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକମାନେ ଏହି ଓଭରବ୍ରିଜ ଅଞ୍ଚଳରେ ଭାରି ଗାଡ଼ି ଚଳାଚଳ ଓ ଗତି ନିୟନ୍ତ୍ରଣ ନଥିବାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ଦାବି କରିଛନ୍ତି।
