ଟିମ୍ ଇଣ୍ଡିଆ ପାଇଁ କି ଆଉ ଜଣେ ୩୬୦-ଡିଗ୍ରୀ ବ୍ୟାଟ୍ସମ୍ୟାନ୍ ପ୍ରସ୍ତୁତ ହେଉଛନ୍ତି? ଭାରତୀୟ କ୍ରିକେଟର “ଦ ୱାଲ୍” ଭାବେ ପରିଚିତ ପୂର୍ବତନ ଅଧିନାୟକ ଓ କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ସମିତ୍ ଦ୍ରାବିଡ ବର୍ତ୍ତମାନ ନିଜର ଆକର୍ଷଣୀୟ ବ୍ୟାଟିଂ ଶୈଳୀ ପାଇଁ କ୍ରିକେଟ୍ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (KSCA) ଟି-୨୦ ଟୁର୍ଣ୍ଣାମେଣ୍ଟରେ କଲ୍ୟାଣୀ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ପକ୍ଷରୁ ଖେଳୁଥିବା ୨୦ ବର୍ଷୀୟ ସମିତ୍ ନିଜ ବ୍ୟାଟିଂ ଦକ୍ଷତାର ଝଲକ ଦେଖାଇଛନ୍ତି।
ହୁବ୍ଲି ଟାଇଗର୍ସ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚ୍ରେ ସେ ୨୩ଟି ବଲରୁ ୩୨ ରନ୍ କରିଥିବା ବେଳେ ୬ଟି ଚମତ୍କାର ଚୌକା ମାରିଥିଲେ।
କେବଳ ରନ୍ ସଂଗ୍ରହ ନୁହେଁ, ବରଂ ପଡ଼ିଆର ସବୁ ଆଡ଼କୁ ଶଟ୍ ଖେଳି ସେ ନିଜର ବହୁମୁଖୀ ବ୍ୟାଟିଂ ଶୈଳୀର ପ୍ରଦର୍ଶନ କରିଥିଲେ।
ବ୍ୟାକଫୁଟ୍ କଟ୍, ପୁଲ୍ ଶଟ୍, କଭର ଡ୍ରାଇଭ୍ ଏବଂ ଲଫ୍ଟେଡ୍ ଡ୍ରାଇଭ୍ ଭଳି ଆକର୍ଷଣୀୟ ଷ୍ଟ୍ରୋକ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା।
ତାଙ୍କ ବ୍ୟାଟିଂରେ ବାପା ରାହୁଲ ଦ୍ରାବିଡଙ୍କ ଶୃଙ୍ଖଳିତ ଟେକ୍ନିକ୍ ଓ କ୍ଲାସ୍ର ଝଲକ ଥିବା ବେଳେ ଆଧୁନିକ ଟି-୨୦ କ୍ରିକେଟ୍ର ଆକ୍ରମଣାତ୍ମକ ମନୋଭାବ ମଧ୍ୟ ସ୍ପଷ୍ଟ ଦେଖାଯାଇଥିଲା।
ଏହି ମ୍ୟାଚ୍ରେ ସମିତ୍ ରୋହନ ପାଟିଲଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ଦୃଢ଼ ଆରମ୍ଭ ଦେଇଥିଲେ। ପରେ ରୋହନ ପାଟିଲଙ୍କ ୬୪ ରନ୍ ଏବଂ ପ୍ରବୀଣ ଦୁବେଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ୨୦ ଓଭରରେ ୨୦୩ ରନ୍ର ବିଶାଳ ସ୍କୋର ଛୁଇଁଥିଲା।
ଜବାବରେ ହୁବ୍ଲି ଟାଇଗର୍ସ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ୨୦୧ ରନ୍ରେ ସୀମିତ ରହିଥିଲେ ଏବଂ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ୨ ରନ୍ରେ ବିଜୟୀ ହୋଇଥିଲା। ସମିତ୍ ଦ୍ରାବିଡ ଏଯାବତ୍ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଦେଖି କ୍ରିକେଟ୍ ପ୍ରେମୀଙ୍କ ମନରେ ଆଶା ସୃଷ୍ଟି ହୋଇଛି। ଯଦି ସେ ଏହି ଧାରା ଜାରି ରଖନ୍ତି, ତେବେ ଆଗାମୀ ଦିନରେ ଟିମ୍ ଇଣ୍ଡିଆ ପାଇଁ ଆଉ ଜଣେ ପ୍ରତିଭାବାନ ଓ ୩୬୦-ଡିଗ୍ରୀ ବ୍ୟାଟର ଭାବେ ଉଭା ହେବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

Total Users : 1000779