ଋଷିଆର ନଜର ଏବେ ଭାରତ ଉପରେ! ପେଟ୍ରୋଲ କିଣିବାକୁ ବଢ଼ିଲା ଆଗ୍ରହ

Table of Content

ୟୁକ୍ରେନ୍-ଋଷିଆ ଯୁଦ୍ଧର ପ୍ରଭାବ ଏବେ ଋଷିଆର ଇନ୍ଧନ ବ୍ୟବସ୍ଥା ଉପରେ ସ୍ପଷ୍ଟ ଭାବେ ପଡ଼ିଛି। ୟୁକ୍ରେନ୍ ପକ୍ଷରୁ ଋଷିଆର ଏକାଧିକ ତୈଳ ବିଶୋଧନାଗାର (ରିଫାଇନାରୀ) ଉପରେ ଡ୍ରୋନ୍ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଋଷିଆର ବିଭିନ୍ନ ଅଞ୍ଚଳରେ ଇନ୍ଧନ ସଙ୍କଟ ଦେଖାଦେଇଛି ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗୁଥିବା ସହ ଦାମ ମଧ୍ୟ ବୃଦ୍ଧି ପାଉଛି।

ଏହି ପରିସ୍ଥିତିରେ ଋଷିଆ ନିଜର ପାରମ୍ପରିକ ସହଯୋଗୀ ଭାରତ ଆଡ଼କୁ ହାତ ବଢ଼ାଇଛି। ମିଳୁଥିବା ସୂଚନା ଅନୁସାରେ, ସମୁଦ୍ର ପଥରେ ଭାରତରୁ ଋଷିଆକୁ ପେଟ୍ରୋଲ ରପ୍ତାନି ଆରମ୍ଭ ହୋଇଛି। ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ମଧ୍ୟ ସ୍ୱୀକାର କରିଛି ଯେ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଋଷିଆ ବିଭିନ୍ନ ମିତ୍ର ଦେଶ ସହ ଆଲୋଚନା ଜାରି ରଖିଛି ଏବଂ ସୁଲଭ ମୂଲ୍ୟରେ ପେଟ୍ରୋଲ ଆମଦାନି ଉପରେ ଗୁରୁତ୍ୱ ଦେଉଛି।

ସୂତ୍ର ଅନୁଯାୟୀ, ଭାରତରୁ ଋଷିଆକୁ ପ୍ରାୟ ୬୦ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ପଠାଯାଇଛି। ଏଥିପାଇଁ ୩୦ରୁ ୪୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ବଡ଼ ତୈଳ ଟ୍ୟାଙ୍କର ଭାରତୀୟ ବନ୍ଦରରୁ ଋଷିଆ ଅଭିମୁଖେ ଯାତ୍ରା କରିଛି। ତେବେ କେଉଁ ଭାରତୀୟ ରିଫାଇନାରୀ ଏହି ଇନ୍ଧନ ଯୋଗାଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ।

ଅନ୍ୟପଟେ, ଖବର ମିଳୁଛି ଯେ ଋଷିଆ ପ୍ରତିମାସ ପ୍ରାୟ ୪ ଲକ୍ଷ ଟନ୍ ପେଟ୍ରୋଲ ବିଭିନ୍ନ ଦେଶରୁ ଆମଦାନି କରିବାକୁ ଯୋଜନା କରୁଛି। ଏହି ତାଲିକାରେ ପଡ଼ୋଶୀ ଦେଶ ବେଲାରୁଷ ମଧ୍ୟ ରହିଛି, ଯାହା ପୂର୍ବରୁ ରେଳପଥ ମାଧ୍ୟମରେ ଋଷିଆକୁ ପେଟ୍ରୋଲ ଯୋଗାଣ ବଢ଼ାଇଛି। ଜୁନ୍ ମାସର ପ୍ରଥମାର୍ଦ୍ଧରେ ବେଲାରୁଷରୁ ଋଷିଆକୁ ପଠାଯାଇଥିବା ପେଟ୍ରୋଲ ପରିମାଣ ୭୦ ହଜାର ଟନ୍ ଅତିକ୍ରମ କରିଥିବା ସୂଚନା ମିଳିଛି।

ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସମ୍ପ୍ରତି କ୍ୟାବିନେଟ ବୈଠକରେ ସ୍ୱୀକାର କରିଛନ୍ତି ଯେ ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣ ଦେଶର ତୈଳ ବିଶୋଧନ କ୍ଷମତାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ କିଛି ଅଞ୍ଚଳରେ ଇନ୍ଧନ ଅଭାବ ଦେଖାଦେଇଥିଲେ ମଧ୍ୟ ସରକାର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ବିଶେଷଜ୍ଞଙ୍କ ମତରେ, ୟୁକ୍ରେନ୍ ଯୁଦ୍ଧ କେବଳ ସାମରିକ କ୍ଷେତ୍ରରେ ନୁହେଁ, ବିଶ୍ୱ ଜଳବିଦ୍ୟୁତ ଓ ଇନ୍ଧନ ବଜାରରେ ମଧ୍ୟ ବଡ଼ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ ଭାରତରୁ ଋଷିଆକୁ ପେଟ୍ରୋଲ ରପ୍ତାନି ଦୁଇ ଦେଶ ମଧ୍ୟରେ ଉର୍ଜା ବାଣିଜ୍ୟକୁ ଆହୁରି ମଜବୁତ କରିପାରେ। ସେହିସହ ଆଗାମୀ ଦିନରେ ବିଶ୍ୱ ତୈଳ ବଜାରରେ ଏହାର ପ୍ରଭାବ କିପରି ପଡ଼ିବ, ସେଥି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778