ବାରିପଦାରେ PMAY 2.0 କାର୍ଯ୍ୟାଦେଶ ବଣ୍ଟନ, ୬୧ ପରିବାରଙ୍କୁ ମିଳିଲା ନୂଆ ଆଶା
ବାରିପଦା,
ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରସଭା କନ୍ଫରେନ୍ସ ହଲ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) 2.0ର ୫ମ ପର୍ଯ୍ୟାୟ ଅନ୍ତର୍ଗତ ୬୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଉପନଗରପାଳ ସୀମା ଦାସ, ସମସ୍ତ ୱାର୍ଡ କାଉନ୍ସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ମ୍ୟୁନିସିପାଲ ଯନ୍ତ୍ରୀ ଏବଂ ପୌରସଭାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ନଗରପାଳ ସମସ୍ତ ଅତିଥି ଓ ଉପସ୍ଥିତ ଲୋକଙ୍କୁ ସ୍ୱାଗତ ଜଣାଇଥିଲେ।
ପୌରାଞ୍ଚଳର ୨୮ଟି ୱାର୍ଡରୁ ଯାଞ୍ଚ ପରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ସେମାନେ ନିଜ ପକ୍କା ଘର ନିର୍ମାଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ପାରିବେ।
ଏହି ଅବସରରେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) 2.0 ମାଧ୍ୟମରେ ସହରାଞ୍ଚଳର ଆବାସହୀନ ଓ ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ସ୍ଥାୟୀ ବାସଗୃହ ସୁବିଧା ଯୋଗାଇବା ସରକାରଙ୍କ ପ୍ରାଥମିକତା। ଯୋଜନାର ସ୍ୱଚ୍ଛ ଓ ସମୟୋପଯୋଗୀ କାର୍ଯ୍ୟକାରିତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମ ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ପକ୍କା ଘର’ ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଲାଭାନ୍ବିତମାନେ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ନିଜ ଘରର ସ୍ୱପ୍ନ ସାକାର ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।
ମୟୂରଭଞ୍ଜରୁ ଶିବାନନ୍ଦଙ୍କ ରିପୋର୍ଟ | ଆଦ୍ୟାଶା ନ୍ୟୁଜ୍ ଲାଇଭ୍

Total Users : 1000779