ପୁରୀ:
ଆଜି ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଶ୍ୱପ୍ରସିଦ୍ଧ ସୁନାବେଶ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେବେ। ବର୍ଷକୁ ଥରେ ଆସୁଥିବା ଏହି ପବିତ୍ର ଅବସରକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚୁଥିବା ବେଳେ ବଡ଼ଦାଣ୍ଡରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳୁଛି।
ପରମ୍ପରା ଅନୁଯାୟୀ, ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରିବେ। ତଳିଚ୍ଛ ମହାପାତ୍ର ଶ୍ରୀବଳଭଦ୍ରଙ୍କ ସୁନାବେଶ ସମ୍ପନ୍ନ କରିବେ ଏବଂ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କୁ ସୁନା ଅଳଙ୍କାରରେ ସୁସଜ୍ଜିତ କରିବେ। ସୁନାବେଶରେ ମହାପ୍ରଭୁମାନଙ୍କ ଶ୍ରୀଅଙ୍ଗରେ ସୁନାର ମୁକୁଟ, ହାତ, ପାଦ, ଚକ୍ର, ଗଦା, ଶଙ୍ଖ ସମେତ ବିଭିନ୍ନ ଅଳଙ୍କାର ପରିଧାନ କରାଯାଇଥାଏ, ଯାହା ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ଓ ପବିତ୍ର ଦର୍ଶନ ଭାବେ ପରିଗଣିତ।
ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ୫ଟାରୁ ସୁନାବେଶ ନୀତି ଆରମ୍ଭ ହେବ ଏବଂ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିପାରିବେ। ଯଦି ଦୈନନ୍ଦିନ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମାପ୍ତ ହୁଏ, ତେବେ ଅପରାହ୍ଣରୁ ମଧ୍ୟ ଦର୍ଶନ ବ୍ୟବସ୍ଥା କରାଯାଇପାରେ। ସୁନାବେଶ ଶେଷ ହେବା ପରେ ବେଶ ଓଲାଗି ନୀତି ସମ୍ପନ୍ନ ହେବ।
ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ମାର୍କେଟ୍ ଛକରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ବାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତମାନେ ବଡ଼ଦାଣ୍ଡର ବାମ ପାର୍ଶ୍ୱ ଦେଇ ପ୍ରବେଶ କରି ତିନିରଥ ଉପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ କରିବେ। ଦର୍ଶନ ଶେଷ କରି ସେମାନେ ଡାହାଣ ପାର୍ଶ୍ୱ ଦେଇ ପ୍ରସ୍ଥାନ କରିବେ। ସୁରକ୍ଷା ବ୍ୟବସ୍ଥା ପାଇଁ ବହୁସଂଖ୍ୟକ ପୁଲିସ ବଳ, ସ୍ୱେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ ମୁତୟନ ହୋଇଛନ୍ତି।
ମହାପ୍ରଭୁଙ୍କ ସୁନାବେଶ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟ ଓ ସନାତନ ସଂସ୍କୃତିର ଏକ ଅନନ୍ୟ ପ୍ରତୀକ। ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଧାଇଁ ଆସନ୍ତି ଏବଂ ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି।

Total Users : 1000779