କଳାହାଣ୍ଡି ଜିଲ୍ଲା ଭବାନପାଟଣା ବ୍ଲକ୍ ଅନ୍ତର୍ଗତ କନ୍ଧ ବାନ୍ଦୋପଲା ଗ୍ରାମରେ ପବିତ୍ର ବାହୁଡା ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବହୁ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବଟକୃଷ୍ଣ ଠାକୁର ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇଥିଲା। ଏହାପରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ “ଜୟ ଜଗନ୍ନାଥ” ଧ୍ୱନିରେ ପରିବେଶକୁ ଭକ୍ତିମୟ କରି ଉତ୍ସାହର ସହ ରଥ ଟାଣିଥିଲେ। ସମଗ୍ର ଗ୍ରାମ ଶଙ୍ଖଧ୍ୱନି, ଘଣ୍ଟ, ମୃଦଙ୍ଗ ଓ ହରିନାମ ସଂକୀର୍ତ୍ତନରେ ମୁଖରିତ ହୋଇଉଠିଥିଲା। ପୂଜକ ଶ୍ରୀ ଚଲ ଯୋଶୀ ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ କରିଥିଲେ। ରଥଯାତ୍ରା ପରିଚାଳନା
କମିଟି, ଗ୍ରାମର ବରିଷ୍ଠ ବ୍ୟକ୍ତି, ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମଗ୍ର ଆୟୋଜନ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହ ସମ୍ପନ୍ନ ହୋଇଥିଲା। ବର୍ଷା ସତ୍ତ୍ୱେ ଭକ୍ତମାନଙ୍କ ଉତ୍ସାହରେ କୌଣସି ଭାଟା ପଡ଼ିନଥିଲା। ବରଂ ବର୍ଷା ମଧ୍ୟରେ ଭକ୍ତମାନେ ରଥ ଟାଣି ମହାପ୍ରଭୁଙ୍କ ପ୍ରତି ନିଜର ଅଗାଧ ଭକ୍ତି ଓ ଆସ୍ଥାର ପରିଚୟ ଦେଇଥିଲେ। ହରିନାମ ସଂକୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ଆବେଗରେ ଭରିଯାଇଥିଲା।
ପବିତ୍ର ବାହୁଡା ଯାତ୍ରା ଅବସରରେ ଦୂରଦୂରାନ୍ତରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଧାର୍ମିକ ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସନାତନ ସଂସ୍କୃତି ପ୍ରତି ଥିବା ଅଟୁଟ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଥିବାବେଳେ ସମଗ୍ର କନ୍ଧ ବାନ୍ଦୋପଲା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା। ଏହି ପବିତ୍ର ଆୟୋଜନକୁ ସଫଳ କରିବାରେ ରଥଯାତ୍ରା ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ଅବଦାନ ପ୍ରଶଂସନୀୟ ରହିଥିଲା।

Total Users : 1000778