ଅଢେଇ ବର୍ଷର କଲରାପତରିଆ ବାଘର ମୃତ୍ୟୁ, ଫାସରେ ପଡ଼ି ଅନ୍ତ

Table of Content

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ସୃଷ୍ଟି କରିଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଜରଡ଼ ଛକ ନିକଟ ଏକ ନିମ୍ବ ଗଛରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତଦେହର ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ବାଘଟିର ମୃତ୍ୟୁ ଶିକାରୀଙ୍କ ଫାସରେ ପଡ଼ିବା ଫଳରେ ଘଟିଛି। ବାଘର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଶୁଭକାନ୍ତ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ବାଘଟିର ବୟସ ମାତ୍ର ଦୁଇରୁ ଅଢେଇ ବର୍ଷ ଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ସବଳ ଥିଲା। ପୋଷ୍ଟମର୍ଟମରେ କୌଣସି ପୂର୍ବ ରୋଗର ଲକ୍ଷଣ ମିଳିନଥିବା ବେଳେ ଫାସରେ ପଡ଼ି ଗୁରୁତର ଆଘାତ ପାଇବା ପରେ ଜୀବନ ବଞ୍ଚାଇବାକୁ ଛଟପଟ ହୋଇ ବାଘଟି ପ୍ରାୟ ୭ ଫୁଟ ଉଚ୍ଚ ନିମ୍ବ ଗଛ ଉପରକୁ ଚଢ଼ିଯାଇଥିଲା। ସେଠାରେ ଅତ୍ୟଧିକ ଆଘାତ ଓ ଶାରୀରିକ ଚାପ ଯୋଗୁଁ ତାହାର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଗାଡ଼ିର କ୍ଲଚ୍ ତାର ଓ ପଥର ବ୍ୟବହାର କରି ଏକ ଶକ୍ତିଶାଳୀ ଫାସ ପକାଇଥିଲେ। ସେହି ଫାସରେ ବାଘଟି ଫସିଯାଇଥିଲା। କୌଣସି ପ୍ରକାରେ ଫାସରୁ ମୁକୁଳିବା ପରେ ଆହତ ଅବସ୍ଥାରେ ଗଛ ଉପରକୁ ଚଢ଼ିଥିଲେ ମଧ୍ୟ ଶେଷରେ ସେଠାରେ ହିଁ ତାହାର ମୃତ୍ୟୁ ଘଟିଥିଲା। ମୃତ ବାଘର ଶରୀରରେ ଦଉଡ଼ି ଓ ପଥର ବନ୍ଧା ଥିବାରୁ ଶିକାରୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି।

ଗତକାଲି ସ୍ଥାନୀୟ ଅଞ୍ଚଳରେ ଥିବା ବୁଲା କୁକୁରମାନେ ଗଛ ତଳେ ଭୁକିବା ପରେ ଲୋକମାନଙ୍କ ନଜର ଗଛ ଉପରେ ପଡ଼ିଥିଲା। ସେଠାରେ ବାଘର ମୃତଦେହ ଦେଖି ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ପରେ ଖଲ୍ଲିକୋଟ ବନ ବିଭାଗ ଓ ଅଗ୍ନିଶମ ବାହିନୀର ସହଯୋଗରେ ଗଛ ଉପରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଚାରିଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ପକ୍ଷରୁ ପୋଷ୍ଟମର୍ଟମ କରାଯାଇଥିବା ବେଳେ ବନ ବିଭାଗ ଘଟଣାର ତଦନ୍ତକୁ ଜୋରଦାର କରିଛି। ଶିକାରୀଙ୍କୁ ଚିହ୍ନଟ କରିବା ସହ ଫାସ ପକାଇବା ପଛରେ ଥିବା ଚକ୍ରକୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣା ପୁଣିଥରେ ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥା ଓ ବେଆଇନ ଶିକାର ରୋକିବା ନେଇ ପ୍ରଶ୍ନ ଉଠାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779