ବଲାଙ୍ଗୀର ଜାତୀୟ ରାଜପଥରେ ମୁକୁଳା ଡ୍ରେନ୍: ବର୍ଷାରେ କୃତ୍ରିମ ବନ୍ୟାର ଭ୍ରମ, ବଢ଼ୁଛି ଦୁର୍ଘଟଣା ଆଶଙ୍କା
ବଲାଙ୍ଗୀର:ବର୍ଷା ଆରମ୍ଭ ହେବା ସହ ବଲାଙ୍ଗୀର ସହରବାସୀଙ୍କ ଚିନ୍ତା ବଢ଼ିଛି। ସହର ମଧ୍ୟଦେଇ ଯାଇଥିବା ବଲାଙ୍ଗୀର–ସୋନପୁର ଜାତୀୟ ରାଜପଥ ଏବଂ ବରଗଡ଼–ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ ଥିବା ମୁକୁଳା ଡ୍ରେନ୍ ସାଧାରଣ ଲୋକ ଓ ଯାନବାହନ ଚାଳକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।
ବିଶେଷକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାଟଣେଶ୍ୱରୀ ମନ୍ଦିର ଓ ସ୍କୁଲ ସମ୍ମୁଖ ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍ର ପାଣି ରାସ୍ତା ଉପରକୁ ଉଠି ଆସୁଛି। ଫଳରେ ରାସ୍ତା ଓ ଡ୍ରେନ୍ର ସୀମା ଜଣାପଡ଼ୁ ନଥିବାରୁ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହା ଯାନ ଚାଳକ ଓ ପଥଚାରୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ଗତ ଡିସେମ୍ବର ମାସରେ ପାଟଣେଶ୍ୱରୀ ମନ୍ଦିର ନିକଟସ୍ଥ ଏକ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏତେ ବଡ଼ ଅଘଟଣ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଥିବା ପ୍ରାକୃତିକ ଜଳ ନିଷ୍କାସନ ପଥକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବରେ ବର୍ଷା ପାଣି ସଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ ଏବଂ ରାସ୍ତା ଉପରେ ଜମି ରହୁଛି।
ଅନ୍ୟପଟେ, ଜାତୀୟ ରାଜପଥ ବିଭାଗ ସମସ୍ୟା ସମ୍ପର୍କରେ ପୌରପାଳିକାକୁ ଅବଗତ କରାଇଥିଲେ ମଧ୍ୟ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ପୌରପାଳିକାର ବହୁଚର୍ଚ୍ଚିତ ‘ମାଷ୍ଟର ଡ୍ରେନେଜ୍ ପ୍ଲାନ୍’ ଏପର୍ଯ୍ୟନ୍ତ କାଗଜପତ୍ରରେ ସୀମିତ ରହିଛି। ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଡିପିଆର୍ ପ୍ରସ୍ତୁତି ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର କୌଣସି ଅଗ୍ରଗତି ଦେଖିବାକୁ ମିଳିନାହିଁ।
ବର୍ଷା ଦିନେ ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ମୁକୁଳା ଡ୍ରେନ୍ ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ପାଲଟିପାରେ। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଡ୍ରେନ୍ ଉପରେ ସ୍ଲାବ୍ ନିର୍ମାଣ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ସ୍ଥାୟୀ ଡ୍ରେନେଜ୍ ସମାଧାନ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ପ୍ରଶାସନ ଏହି ମରଣଯନ୍ତା ମୁକୁଳା ଡ୍ରେନ୍ ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବ? ନା ଆଉ ଏକ ବଡ଼ ଅଘଟଣ ପରେ ହିଁ ପଦକ୍ଷେପ ନିଆଯିବ?

Total Users : 1000778