ଗୋଶାଳା ପାଇଁ ଗଛ କଟାକୁ ବିରୋଧ, ଟିଟିଲାଗଡ଼ରେ ଉତ୍ତେଜନା

Table of Content

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିକଟସ୍ଥ ନାନାଝର ଗ୍ରାମରେ ଗୋଶାଳା ନିର୍ମାଣକୁ କେନ୍ଦ୍ର କରି ଏବେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଜଙ୍ଗଲ ଏବଂ ଗୋଚର ଜମିରୁ ବ୍ୟାପକ ଗଛ କଟାଯାଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୌରପରିଷଦ ପକ୍ଷରୁ ଗୋଶାଳା ନିର୍ମାଣ କାମ ଆରମ୍ଭ ହେବା ପରେ ନାନାଝର, କାପସୀଭଟା, ମନିଗାଁ ସମେତ ପାଖାପାଖି ପାଞ୍ଚଟି ଗାଁର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ପ୍ରତିବାଦ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୋଶାଳା ନିର୍ମାଣ ନାମରେ ଗୋଚର ଜମି ଓ ଜଙ୍ଗଲ ଅଞ୍ଚଳର ବହୁ ଗଛ କାଟି ଦିଆଯାଉଛି, ଯାହା ସ୍ଥାନୀୟ ପରିବେଶ ଏବଂ ଗୃହପାଳିତ ପଶୁଙ୍କ ଚରିବା ସ୍ଥାନ ପାଇଁ ବଡ଼ ବିପଦ ସୃଷ୍ଟି କରିବ। ସେମାନଙ୍କ ପ୍ରଶ୍ନ ହେଉଛି, ସହରାଞ୍ଚଳର ଯୋଜନାକୁ କାହିଁକି ଗ୍ରାମର ଗୋଚର ଜମିରେ କାର୍ଯ୍ୟକାରୀ କରାଯାଉଛି? ଯଦି ଏହି ଜମି ନଷ୍ଟ ହୋଇଯାଏ, ତେବେ ହଜାର ହଜାର ଗୃହପାଳିତ ପଶୁ ଚରିବା ପାଇଁ କେଉଁଠାକୁ ଯିବେ? ଏହା କେବଳ ପରିବେଶର କ୍ଷତି ନୁହେଁ, ବରଂ ଗ୍ରାମୀଣ ଜୀବନଜୀବିକା ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି।

ପ୍ରତିବାଦ ତୀବ୍ର ରୂପ ନେବା ପରେ ଉତ୍ୟକ୍ତ ଗ୍ରାମବାସୀ ଗୋଶାଳା ନିର୍ମାଣରେ ବ୍ୟବହୃତ ଜେସିବି ମେସିନକୁ ଅଟକାଇବା ସହ ପୌରପରିଷଦର ନିର୍ବାହୀ ଅଧିକାରୀ (EO)ଙ୍କୁ ଘେରାଉ କରିଥିଲେ। ଘଟଣାସ୍ଥଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ଚାଲିଥିଲା। ଗ୍ରାମବାସୀ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ବନ ବିଭାଗର ଆବଶ୍ୟକ ଅନୁମତି ଏବଂ ସ୍ଥାନୀୟ ପଲ୍ଲୀସଭାର ସମ୍ମତି ବିନା ଗଛ କଟା କିମ୍ବା ନିର୍ମାଣ କାମ ଜାରି ରହିଲେ ସେମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ। ସେମାନେ ଜେସିବି ଜବତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେପଟେ ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ୱୀକାର କରିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ବନ ବିଭାଗର ଅନୁମତି ନିଆଯାଇ ନାହିଁ। ତେବେ ତହସିଲଦାରଙ୍କ ପକ୍ଷରୁ ଜମି ଆବଣ୍ଟନ ହୋଇଥିବାରୁ ସେହି ଆଧାରରେ କାମ ଚାଲିଥିବା ଏବଂ ଏଥିପାଇଁ ପଲ୍ଲୀସଭାର ଅନୁମୋଦନ ଆବଶ୍ୟକ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି ବୟାନକୁ ନେଇ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପରିବେଶ ସୁରକ୍ଷା, ଗୋଚର ଜମିର ସଂରକ୍ଷଣ ଓ ବିକାଶମୂଳକ ପ୍ରକଳ୍ପ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି। ଏବେ ପ୍ରଶାସନ ଏହି ବିବାଦର ସମାଧାନ ପାଇଁ କେଉଁ ପଦକ୍ଷେପ ନେଉଛି ଏବଂ ଗ୍ରାମବାସୀଙ୍କ ଆପତ୍ତିର କିପରି ସମାଧାନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778