ପରୀକ୍ଷା ହଲ୍‌ରେ ହାଇଟେକ୍ କପି ଯୋଜନା ଫାଶ, OPSC ଆଶାୟୀ ଅଟକ

Table of Content

ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପ୍ରିଲିମସ୍ ପରୀକ୍ଷାରେ ହାଇଟେକ୍ ଉପାୟରେ କପି କରୁଥିବା ଜଣେ ପରୀକ୍ଷାର୍ଥୀଙ୍କୁ ଧରିବା ସହ ତାଙ୍କୁ ସହଯୋଗ କରୁଥିବା ଆଉ ତିନିଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, କଟକ ସିଡିଏ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ OCS ପ୍ରିଲିମସ୍ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ ଅବିନାଶ ରାଉତ ମୋବାଇଲ୍ ଫୋନ୍ ଓ ୱାୟାରଲେସ୍ ଇୟରବଡ୍ ବ୍ୟବହାର କରି ଅସଦୁପାୟ ଅବଲମ୍ବନ କରୁଥିଲେ। ଯାଞ୍ଚ ସମୟରେ ସ୍କ୍ୱାଡ୍ ତାଙ୍କ ଗତିବିଧି ଉପରେ ସନ୍ଦେହ କରି ତଲାସି କରିଥିଲା। ତଲାସି ବେଳେ ତାଙ୍କ ଅନ୍ତଃବସ୍ତ୍ର ଭିତରୁ ଏକ ସ୍ମାର୍ଟଫୋନ୍ ଏବଂ କାନ ନିକଟରୁ ଏକ ଇୟରବଡ୍ ଜବତ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅବିନାଶ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନଗୁଡ଼ିକ ଫୋନ୍ ମାଧ୍ୟମରେ ବାହାରକୁ ପଠାଉଥିଲେ। ଅନ୍ୟପଟେ ଜଣେ ସହଯୋଗୀ ସେହି ପ୍ରଶ୍ନର ଉତ୍ତର ଇଣ୍ଟରନେଟ୍ ଓ ଅନ୍ୟ ସୂତ୍ରରୁ ସଂଗ୍ରହ କରି ତାଙ୍କୁ ଇୟରବଡ୍ ମାଧ୍ୟମରେ ପହଞ୍ଚାଉଥିଲେ। ଏହି ଘଟଣା ବଲିଉଡ୍ ଚଳଚ୍ଚିତ୍ର *“ମୁନ୍ନା ଭାଇ MBBS”*ରେ ଦେଖାଯାଇଥିବା କପି ପଦ୍ଧତିକୁ ମନେ ପକାଇଛି।

ଘଟଣା ପରେ ସ୍କ୍ୱାଡ୍ ସଦସ୍ୟମାନେ ଅବିନାଶଙ୍କୁ ପରୀକ୍ଷା କେନ୍ଦ୍ରରୁ ବାହାର କରି ମର୍କତନଗର ଥାନା ପୋଲିସ ଜିମା ଦେଇଥିଲେ। ମୋବାଇଲ୍ କଲ୍ ରେକର୍ଡ ଓ ଲୋକେସନ୍ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ବେଲଭ୍ୟୁ ଛକ ଅଞ୍ଚଳରୁ ଜଣେ ଯୁବକଙ୍କୁ ଧରିଥିଲା। ପରବର୍ତ୍ତୀ ଜେରାରେ ସମଗ୍ର ଚକ୍ରର ପର୍ଦ୍ଦାଫାଶ ହୋଇଥିଲା।

ପୋଲିସ ପରେ ଢେଙ୍କାନାଳ, ଜଗତସିଂହପୁର ଓ ଝାଡ଼ଖଣ୍ଡ ସମ୍ପର୍କିତ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଏକ କୋଚିଂ ସଂସ୍ଥା ସହ ସଂପୃକ୍ତ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍, ଏକ ଇୟରବଡ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରାଯାଇଛି।

ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ Odisha Public Examinations (Prevention of Unfair Means) Act, 2024 ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୮ ଅନୁଯାୟୀ ମାମଲା ରୁଜୁ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।

ଏଭଳି ଅତ୍ୟାଧୁନିକ ଉପକରଣ ବ୍ୟବହାର କରି OPSC ପରୀକ୍ଷାରେ କପି କରିବା ଘଟଣା ପରୀକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts