୯୦ତମ ଉତ୍କଳ ଦିବସରେ ଚେନ୍ନାଇକୁ ମିଳିଲା ‘ଉତ୍କଳ ସେବା ସଦନ’

Table of Content

ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇରେ ରବିବାର ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ଓ ବାର୍ଷିକ ଉତ୍ସବ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଇତିହାସ ହେଉଛି ଭବିଷ୍ୟତ ଗଢ଼ିବାର ଦର୍ପଣ। କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ଅତୀତରୁ ପ୍ରେରଣା ନେଇ ଆଗାମୀ ଓଡ଼ିଶା ପାଇଁ ଏକ ସଶକ୍ତ ସେତୁବନ୍ଧ ଗଢ଼ିବାକୁ ସମସ୍ତଙ୍କୁ ଏକତ୍ର ହେବା ଆବଶ୍ୟକ।

କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ତାମିଲ ଓ ଓଡ଼ିଆ — ଉଭୟ ଭାଷା ଭାରତର ଅତ୍ୟନ୍ତ ସମୃଦ୍ଧ ଶାସ୍ତ୍ରୀୟ ଭାଷା। ତାମିଲନାଡୁ ଯେପରି ଜ୍ଞାନ, ବିଜ୍ଞାନ ଓ ପ୍ରାଚୀନ ସଭ୍ୟତାର ଏକ ମହାନ କେନ୍ଦ୍ର, ସେହିପରି ଓଡ଼ିଶା ସଂସ୍କୃତି, ଆଧ୍ୟାତ୍ମ ଓ କଳା-ଭାସ୍କର୍ଯ୍ୟର ଏକ ଗୌରବମୟ ଭୂମି। ଦୁଇ ରାଜ୍ୟ ମଧ୍ୟରେ ଶତାବ୍ଦୀ ପୁରୁଣା ସମ୍ପର୍କ ଆଜି ମଧ୍ୟ ଅବିଚ୍ଛିନ୍ନ ରହିଛି ଏବଂ ଚେନ୍ନାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛନ୍ତି।

ସେ କହିଥିଲେ ଯେ, ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ୨୦୩୬ରେ ରାଜ୍ୟ ଗଠନର ଶତାବ୍ଦୀ ପାଳନ ହେବାକୁ ଥିବାବେଳେ ଆଗାମୀ ଦଶବର୍ଷ ଓଡ଼ିଆ ଅସ୍ମିତା, ଭାଷା ଓ ସ୍ୱାଭିମାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଅର୍ଥନୀତିକ ଶକ୍ତି ଭାବେ ଗଢ଼ିବାକୁ ହେବ।

ଅତୀତର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଶ୍ରୀ ପ୍ରଧାନ କହିଥିଲେ ଯେ, କଳିଙ୍ଗର ସାଧବ ପୁଅମାନେ ବୋଇତ ଧରି ଦକ୍ଷିଣ ସମୁଦ୍ର ପାର କରୁଥିବା ସମୟରେ ତାମିଲନାଡୁର ଉପକୂଳ ସେମାନଙ୍କର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା। ଏହି ସମ୍ପର୍କ କେବଳ ଇତିହାସର ପୃଷ୍ଠାରେ ସୀମିତ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ପରମ୍ପରାର ଅଂଶ। ତେଣୁ ଅତୀତକୁ କେବଳ ସ୍ମରଣ ନକରି, ସେଠାରୁ ପ୍ରେରଣା ନେଇ ନୂତନ ଓଡ଼ିଶା ଗଢ଼ିବା ଆବଶ୍ୟକ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ‘ଉତ୍କଳ ସେବା ସଦନ’ର ଭୂମିପୂଜନ କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏହି ଅନୁଷ୍ଠାନ ଭବିଷ୍ୟତରେ ଓଡ଼ିଆ ସମାଜର ସେବା ଓ ସମାଜ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହେବ। ଓଡ଼ିଆ ସମାଜ ସଦା ଦାୟିତ୍ୱବୋଧ ଓ ସେବାଭାବରେ ବିଶ୍ୱାସ କରେ ବୋଲି କହି ସେ ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିଥିଲେ।

ଶେଷରେ ଶ୍ରୀ ପ୍ରଧାନ ପ୍ରବାସୀ ଓଡ଼ିଆମାନଙ୍କୁ ଆହୁରି ସାହସୀ, ସ୍ୱାଭିମାନୀ, ପରିଶ୍ରମୀ ଓ ଆତ୍ମବିଶ୍ୱାସୀ ହେବା ସହ ଓଡ଼ିଆ ଜାତିର ଗୌରବକୁ ବିଶ୍ୱମଞ୍ଚରେ ଆହୁରି ଉଜ୍ଜ୍ୱଳ କରିବାକୁ ଆହ୍ୱାନ ଜଣାଇଥିଲେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778