ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ୁଥିବାବେଳେ ଏବେ ବ୍ୟାଙ୍କିଂ ସୁରକ୍ଷାକୁ ଆହୁରି କଡ଼ା କରିବା ପାଇଁ ‘ଡୁଆଲ୍ OTP’ ବ୍ୟବସ୍ଥା ଉପରେ ଚର୍ଚ୍ଚା ଜୋର ଧରିଛି। ଡିଜିଟାଲ୍ ଆରେଷ୍ଟ, ଫେକ୍ ଇନ୍ଭେଷ୍ଟମେଣ୍ଟ ସ୍କାମ୍, କଷ୍ଟମର୍ କେୟାର ଠକେଇ ଭଳି ବିଭିନ୍ନ ଉପାୟରେ ସାଇବର ଠକମାନେ ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି। ବିଶେଷକରି ବରିଷ୍ଠ ନାଗରିକମାନେ ଏହି ଠକେଇର ସବୁଠାରୁ ବଡ଼ ଶିକାର ହେଉଛନ୍ତି।ଏହି ପରିସ୍ଥିତିକୁ ଦେଖି କିଛି ବ୍ୟାଙ୍କ ‘ଡୁଆଲ୍ OTP ସିଷ୍ଟମ୍’ ଆରମ୍ଭ କରିଛନ୍ତି। ହରିଆଣାର ଗୁରୁଗ୍ରାମ, ନୁହ୍, ଫରିଦାବାଦ ଓ ପାଲୱାଲ୍ ଅଞ୍ଚଳର ୫୦ରୁ ଅଧିକ ବ୍ୟାଙ୍କରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି।
ଏହି ବ୍ୟବସ୍ଥାରେ ବରିଷ୍ଠ ନାଗରିକ ନିଜ ସହ ଜଣେ ବିଶ୍ୱସନୀୟ ପରିବାର ସଦସ୍ୟଙ୍କ ନାମ ଓ ମୋବାଇଲ୍ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ କରିବେ।
ଅନ୍ଲାଇନ୍ ଟଙ୍କା ଲେନଦେନ ସମୟରେ ପ୍ରଥମ OTP ହିତାଧିକାରୀଙ୍କ ଫୋନ୍କୁ ଯିବ। ପରେ ଦ୍ୱିତୀୟ OTP ପଞ୍ଜୀକୃତ ପରିବାର ସଦସ୍ୟଙ୍କ ମୋବାଇଲ୍କୁ ପଠାଯିବ। ଦୁଇଟି OTP ସଠିକ୍ ଭାବେ ଯାଞ୍ଚ ହେବା ପରେ ମାତ୍ର ଟଙ୍କା ଟ୍ରାନ୍ସଫର୍ ସମ୍ପୂର୍ଣ୍ଣ ହେବ।
ଏହା ଫଳରେ ଯଦି କୌଣସି ବରିଷ୍ଠ ନାଗରିକ ଭୁଲ୍ରେ ସାଇବର ଠକଙ୍କୁ OTP ଦେଇଦିଅନ୍ତି, ତେବେ ଦ୍ୱିତୀୟ OTP ବିନା ଟଙ୍କା ଲେନଦେନ ସମ୍ପୂର୍ଣ୍ଣ ହେବ ନାହିଁ। ଏହା ସାଇବର ଠକେଇକୁ ବହୁ ପର୍ଯ୍ୟନ୍ତ ରୋକିପାରିବ
ଗତ ୫ ବର୍ଷରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ ୨୦ ହଜାର ସାଇବର ଠକେଇ ଅଭିଯୋଗ ରେକର୍ଡ ହୋଇଛି। ଏଥିରେ ପ୍ରାୟ ୮୭୦ କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି। କେବଳ ୨୦୨୪ ମସିହାରେ ହିଁ ପ୍ରାୟ ୪୧୯ କୋଟି ଟଙ୍କା ସାଇବର ଠକେଇରେ ଲୁଟ୍ ହୋଇଛି।
ସାଇବର ଅପରାଧୀମାନେ ବର୍ତ୍ତମାନ ସାଧାରଣ ଲୋକଙ୍କ ସହିତ ଛାତ୍ର, ଚାକିରିଆ, ବ୍ୟବସାୟୀ ଓ ବରିଷ୍ଠ ନାଗରିକଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ତେଣୁ ବ୍ୟାଙ୍କିଂ ସୁରକ୍ଷାରେ ନୂଆ ପଦକ୍ଷେପ ଆଣିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତ
ବ୍ୟାଙ୍କ ଅଧିକାରୀମାନଙ୍କ ମତରେ, ଡୁଆଲ୍ OTP ବ୍ୟବସ୍ଥା ସୁରକ୍ଷା ବଢ଼ାଇବ ଠିକ୍, କିନ୍ତୁ ଟଙ୍କା ଲେନଦେନରେ କିଛି ବିଳମ୍ବ ହୋଇପାରେ। କାରଣ OTP ର ନିର୍ଦ୍ଦିଷ୍ଟ ସମୟସୀମା ଥାଏ। ଦ୍ୱିତୀୟ OTP ଦେବାରେ ବିଳମ୍ବ ହେଲେ ଲେନଦେନ ବାତିଲ୍ ହେବାର ସମ୍ଭାବନା ରହିଛି।
ତଥାପି ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା ଅନଲାଇନ୍ ଠକେଇ ରୋକିବାରେ ଏକ ବଡ଼ ପଦକ୍ଷେପ ସାବିତ ହେବ। ପରିବାର ସଦସ୍ୟମାନେ ମଧ୍ୟ ସଚେତନ ରହିଲେ ବରିଷ୍ଠ ନାଗରିକମାନେ ସହଜରେ ଠକେଇର ଶିକାର ହେବେ ନାହିଁ।
