ହ୍ୟାଣ୍ଡବଲ୍‌ର ହବ୍‌ କେନ୍ଦୁଝର: ସୃଷ୍ଟି ହେଉଛନ୍ତି ଜାତୀୟସ୍ତରର ଖେଳାଳି

Table of Content

ହ୍ୟାଣ୍ଡବଲ୍‌ ଖେଳର ହବ୍ ପାଲଟିଛି କେନ୍ଦୁଝର। ଏଠାରେ ରହିଛି ଅତ୍ୟାଧୁନିକ ହ୍ୟାଣ୍ଡବଲ୍‌ କୋର୍ଟ। ସେହିପରି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ରେଫ୍ରି, କୋଚ୍‌ ଓ ଖେଳାଳି ସୃଷ୍ଟି କରି କେନ୍ଦୁଝର ହ୍ୟାଣ୍ଡବଲ୍‌ ଅନ୍ତୁଡ଼ିଶାଳର ପରିଚୟ ପାଇଛି। ଖାଲି ସେତିକି ନୁହେଁ, କେନ୍ଦୁଝର ଜାତୀୟ ଚାମ୍ପିଅନ୍‌ସିପ୍‌ ଆୟୋଜନ କରି ଚର୍ଚ୍ଚାରେ ମଧ୍ୟ ରହିଛି। କେନ୍ଦୁଝରରେ ଗତ ୭ ତାରିଖ‌ରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପୁଲିସ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌। ଆଜି ଶନିବାର ଏହା ଉଦ୍‌ଯାପିତ ହେବ। ପୂର୍ବରୁ ୧୯୮୦ରେ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିଥିବା କେନ୍ଦୁଝର ୨୦୨୫ ଏପ୍ରିଲରେ ପୁଣି ଜାତୀୟ ସବ୍‌ଜୁନିୟର ବାଳକ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିବାର ଗୌରବ ଅର୍ଜନ କରିଛି। କେନ୍ଦୁଝର ହ୍ୟାଣ୍ଡବଲ୍‌ କୋର୍ଟ ଭାରତରେ ସ୍ବତନ୍ତ୍ର। ଏହି ସିନ୍ଥେଟିକ୍‌ କୋର୍ଟରେ ଏକକାଳୀନ ଦୁଇଟି ମ୍ୟାଚ‌୍ ଖେଳା ଯାଇପାରିବ। ଏଥିସହ ଦିବାରାତ୍ର ମ୍ୟାଚ୍‌ ପାଇଁ ଏଠାରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା ମଧ୍ୟ ଅଛି।

କେନ୍ଦୁଝରକୁ ୧୯୭୨ରେ ହ୍ୟାଣ୍ଡବଲ୍‌ ଆସିବା ପରେ ପ୍ରଥମେ ପାର୍କ ପଡ଼ିଆରେ ଖେଳ ଆରମ୍ଭ ‌ହୋଇଥିଲା। ଇତିମଧ୍ୟରେ ଜିଲ୍ଲ‌ାରେ ୨୦୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କଲେଣି। ୧୯୮୦ରେ ଓଡ଼ିଆ ସିନେମାର ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର ଏଠାରେ ହ୍ୟାଣ୍ଡବଲ୍‌ ଖେଳି ଜାତୀୟ ଦଳ ପାଇଁ ମନୋନୀତ ହୋଇଥିଲେ। ସେ ଗୋଲ୍‌କିପର ଭାବେ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିଲେ। ପ୍ରଣୟ ପାଣି ଏବେ ଅନ୍ତର୍ଜାତୀୟ ସ୍ତରର ରେଫ୍ରି। ସେ ୧୯୮୮ରେ ଖେଳ ଆରମ୍ଭ କରିଥିଲେ। ଏକାଧିକ ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ୨୦୦୬ରୁ ରେଫ୍ରି ଭାବେ କାର୍ଯ୍ୟ କରୁଛନ୍ତି। ସେ ଥାଇଲାଣ୍ଡ, ନେପାଳ, ବାଂଲାଦେଶରେ ଆୟୋଜିତ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରି ରାଜ୍ୟ ପାଇଁ‌ ଗୌରବ ଆଣିଛନ୍ତି। ସେହିପରି ଅଲ୍‌ଇଣ୍ଡିଆ କୋଚିଂ କ୍ୟାମ୍ପରେ ଯୋଗ ଦେଇଥିଲେ ଶୁଭେନ୍ଦୁ ସାହୁ। ସେ ମଧ୍ୟ ଏକାଧିକ ମେଡାଲ ହାସଲ କରିଛନ୍ତି। ସ୍ବିଡେନରେ ଆୟୋଜିତ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଥିଲେ କେନ୍ଦୁଝରର ମହମ୍ମଦ ଇମ୍ରାନ୍‌। ସେ ବର୍ତ୍ତମାନ ପୂର୍ବତଟ ରେଳବାଇରେ କାର୍ଯ୍ୟରତ ଅଛନ୍ତି। ସିଦ୍ଧାର୍ଥ ଗୌତମ ନନ୍ଦ କାମେରୁନ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଥିଲେ।

କେନ୍ଦୁଝରର ଖେଳାଳିମାନେ ସିନିୟର ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌, ଜୁନିଅର ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌, ସବ୍‌ଜୁନିୟର ଚାମ୍ପିଅନ୍‌ସିପ୍‌ ସମେତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାର ଗୌରବ ଅର୍ଜନ କରିଛନ୍ତି। କେନ୍ଦୁଝରରେ ୧୯୯୨ରୁ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ୨୦୦୫ରୁ ପ୍ରଶିକ୍ଷଣ ବନ୍ଦ ରହିଛି। ଏ ସମ୍ପର୍କରେ ଜିଲ୍ଲା ହ୍ୟାଣ୍ଡବଲ୍‌ ଆସୋସିଏସନ୍‌ ସମ୍ପାଦକ ରିତିକ ଅଧିକାରୀ କହିଛନ୍ତି, ଏଠାରେ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ କେନ୍ଦ୍ର ପୁଣି ଖୋଲିବା ସହ ଖେଳାଳିଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରାଗଲେ ଆହୁରି ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts