ଛେଣ୍ଡିପଦାରେ ହାତୀ ଉପଦ୍ରବ ଜାରି: ୨ ମାସରେ ବ୍ୟାପକ କ୍ଷୟକ୍ଷତି, ଚିନ୍ତାରେ ବନବିଭାଗ ଓ ଭୟରେ ଲୋକେ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଗତ ଦୁଇ ମାସ ଧରି ହାତୀ ଉପଦ୍ରବ ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଅଞ୍ଚଳରେ ୧୭ଟି ହାତୀ ବିଚରଣ କରୁଥିବା ବେଳେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି।
ଗତ ଦୁଇ ମାସ ମଧ୍ୟରେ ହାତୀପଲ ପ୍ରାୟ ୨୦ଟି ଗାଁରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଥିବା ସହ ୨୦୦ରୁ ଅଧିକ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏହାସହ ହାତୀ ଆକ୍ରମଣରେ ଜନହାନି ଘଟିଥିବାରୁ ଗ୍ରାମବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ରାତି ତ ଦୂରର କଥା, ଦିନବେଳେ ମଧ୍ୟ ହାତୀମାନେ ଗାଁ ଭିତରକୁ ପ୍ରବେଶ କରି ଆତଙ୍କ ସୃଷ୍ଟି କରୁଥିବା ଦେଖାଯାଉଛି।
ବର୍ତ୍ତମାନ ଏହି ହାତୀପଲ କଣଲୋଇ ଅଞ୍ଚଳ ନିକଟରେ ରହିଥିବା ବେଳେ ବନବିଭାଗ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି। ଅନ୍ୟପଟେ, ଦେବଗଡ଼ ଜିଲ୍ଲାରୁ ଆସିଥିବା ୧୬ଟିକିଆ ହାତୀପଲ ଗତ ଦୁଇ ଦିନ ଧରି ପାଟକୁମୁଣ୍ଡା ଓ ଭାଲୁଖାଇଢ଼ିପ ଅଞ୍ଚଳରେ ଅବସ୍ଥାନ କରୁଥିବା ସୂଚନା ମିଳିଛି। ଫଳରେ ଚାଷ କାମ, ଦୈନନ୍ଦିନ ଯାତାୟାତ ଏବଂ ଜୀବିକା ଉପରେ ଏହାର ପ୍ରଭାବ ପଡ଼ୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ଆଶାନୁରୂପ ଫଳପ୍ରଦ ହୋଇପାରୁ ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ସ୍ଥାୟୀ ସମାଧାନ ଦାବି ଜୋର ଧରିଛି।
ବନବିଭାଗ କହିଛି ଯେ, ହାତୀମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
