୨ ବର୍ଷର ବିଜେପି ସରକାର: ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Table of Content

ଆସନ୍ତା ଜୁନ ୧୨ ତାରିଖରେ ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ କାର୍ଯ୍ୟଦକ୍ଷତାର ଏକ ବ୍ୟାପକ ସମୀକ୍ଷା କରାଯିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଯାଞ୍ଚ କରିବେ।

ଜୁନ ୨ ରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ। ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧୀନସ୍ଥ ବିଭାଗଗୁଡ଼ିକର କାର୍ଯ୍ୟକଳାପ ଉପରେ ସମୀକ୍ଷା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ମନ୍ତ୍ରୀ ଗତ ଦୁଇ ବର୍ଷ ମଧ୍ୟରେ ନିଜ ବିଭାଗ କରିଥିବା କାର୍ଯ୍ୟ, ସଫଳତା ଏବଂ ଚ୍ୟାଲେଞ୍ଜ ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ତଥ୍ୟ ଦେବାକୁ କୁହାଯାଇଛି।

ମନ୍ତ୍ରୀମାନେ ନିଜ ବିଭାଗୀୟ କାର୍ଯ୍ୟ ପାଇଁ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି, ପ୍ରଶାସନିକ ନିଷ୍ପତ୍ତି ନେବାକୁ କେତେ ସମୟ ନେଇଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର-ପ୍ରସାର କିପରି କରାଯାଇଛି, ବିଭାଗରେ କେଉଁ ସଂସ୍କାର ଆଣାଯାଇଛି, ବଜେଟ୍ ଅର୍ଥ କେତେ ଖର୍ଚ୍ଚ ହୋଇଛି ଏବଂ ଜନ ଅଭିଯୋଗର ସମାଧାନ ପାଇଁ କି ପଦକ୍ଷେପ ନିଆଯାଇଛି, ସେସବୁର ବିବରଣୀ ଦେବେ।

ଏହାଛଡ଼ା ବିଭାଗ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ, ସେଗୁଡ଼ିକର ମୁକାବିଲା ଏବଂ ନିର୍ବାଚନ ପୂର୍ବରୁ ପ୍ରସ୍ତୁତ କନସେପ୍ଟ ପେପରରେ ଥିବା ପ୍ରତିଶ୍ରୁତି ଓ ବାସ୍ତବ କାର୍ଯ୍ୟଦକ୍ଷତା ମଧ୍ୟରେ ତୁଳନାତ୍ମକ ତଥ୍ୟ ମଧ୍ୟ ଦେବାକୁ ହେବ।

ଅନ୍ୟପକ୍ଷରେ, ଆଇନ-ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଜି ପୁଣିଥରେ ସାପ୍ତାହିକ ସମୀକ୍ଷା ବୈଠକ କରିବେ। ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ଅବସରରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

‘ଶକ୍ତି ଓଡ଼ିଶା’, ‘ସମୃଦ୍ଧ କୃଷି ଓଡ଼ିଶା’, ‘କଟୱାଣ୍ଡ ଓଡ଼ିଶା’, ‘ଜନ ଓଡ଼ିଶା’, ‘ଅକ୍ଷର ଓଡ଼ିଶା’, ‘ଜନଶକ୍ତି ଓଡ଼ିଶା’ ଏବଂ ‘କୌଶଳ ଓଡ଼ିଶା’ ଭଳି ସାତଟି ଥିମ୍ ଉପରେ ଆଧାରିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯିବ। ସେହିପରି ୨୦୨୬ ରୁ ୨୦୩୬ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ରୋଡମ୍ୟାପ୍ ଏବଂ ସରକାରଙ୍କ ଭବିଷ୍ୟତ ଦୃଷ୍ଟିକୋଣ ମଧ୍ୟ ଲୋକଙ୍କ ସମ୍ମୁଖରେ ରଖାଯିବ।

ସରକାରଙ୍କ ଦୁଇ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ମନ୍ତ୍ରୀମାନେ ପ୍ରେସ୍ ସମ୍ମିଳନୀ କରିବା ସହ ବିଭାଗୀୟ ସଫଳତା ସମ୍ପର୍କିତ ପୁସ୍ତିକା ଓ ଲିଫଲେଟ୍ ମଧ୍ୟ ପ୍ରକାଶ କରିବେ। ରାଜ୍ୟର ବିକାଶ ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts