କେନାଲ ସଫେଇରେ ବଡ଼ ଦୁର୍ନୀତି ଅଭିଯୋଗ, ଜଳସେଚନକୁ ନେଇ ଚିନ୍ତାରେ ଚାଷୀ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା, ପଳସୁଧା, ତଳକୁସୁମା, ଗରଦପୁର ଓ ପାଖଡ଼ ପଞ୍ଚାୟତ ଦେଇ ଯାଇଥିବା ପ୍ରମୁଖ କେନାଲର ସଫେଇ କାର୍ଯ୍ୟକୁ ନେଇ ଏବେ ଅସନ୍ତୋଷ ତୀବ୍ର ହୋଇଛି। ବର୍ଷା ଋତୁ ଓ ଚାଷ ଋତୁ ଆରମ୍ଭ ହୋଇଥିବା ସତ୍ତ୍ୱେ କେନାଲ ସଫେଇ କାମ ଠିକ୍ ସମୟରେ ନକରାଯାଇ ବିଳମ୍ବରେ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସଫେଇ କାମରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ନଦେଇ ମେସିନ୍ ମାଧ୍ୟମରେ କାମ କରାଯାଉଥିବାରୁ ଗ୍ରାମବାସୀ ଓ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେନାଲରୁ ସମ୍ପୂର୍ଣ୍ଣ ଭାବେ ପଙ୍କ, ଅନାବଶ୍ୟକ ମାଟି ଓ ଘାସ ସଫା କରାଯାଉନାହିଁ। କେବଳ ଉପର ଭାଗକୁ ସାମାନ୍ୟ ସଫା କରି କାମ ସାରି ଦିଆଯାଉଥିବାରୁ ଏହାକୁ “ଚଳନ୍ତି କାମ” ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। କେତେକ ସ୍ଥାନରେ କେନାଲର ପ୍ରସ୍ଥ ଓ ଗଭୀରତା ପୂର୍ବବତ୍ ରହିଥିବାରୁ ଜଳ ପ୍ରବାହ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ଏହି କେନାଲ ଉପରେ ହଜାର ହଜାର ଏକର ଚାଷ ଜମିର ଜଳସେଚନ ନିର୍ଭର କରେ। ଯଦି ସଫେଇ କାମ ମାନସମ୍ମତ ଭାବେ ନହୁଏ, ତେବେ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା କଷ୍ଟସାଧ୍ୟ ହେବ। ଫଳରେ ଧାନ ଚାଷ ସମେତ ଅନ୍ୟାନ୍ୟ ଫସଲ ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷକରି ଶେଷମୁଣ୍ଡର ଚାଷୀମାନେ ଏଥିପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟପଟେ, କେନାଲ ସଫେଇ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ୱେ କାର୍ଯ୍ୟର ମାନକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଚାଷୀମାନେ ଏହି କାମର ସ୍ୱାଧୀନ ତଦନ୍ତ କରିବା ସହିତ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଚାଷୀମାନଙ୍କ ଆହୁରି କହିବା ଅନୁଯାୟୀ, ଯଦି ଖୁବ ଶୀଘ୍ର କେନାଲକୁ ସଠିକ୍ ଭାବେ ସଫା କରାନଯାଏ, ତେବେ ଚଳିତ ଖରିଫ ଋତୁରେ ଜଳସେଚନ ବ୍ୟବସ୍ଥା ଗୁରୁତର ଭାବେ ବ୍ୟାହତ ହେବ ଏବଂ ଏହାର ସିଧାସଳଖ ପ୍ରଭାବ କୃଷି ଉତ୍ପାଦନ ଉପରେ ପଡ଼ିବ। ତେଣୁ ଜଳସମ୍ପଦ ବିଭାଗ ତୁରନ୍ତ ଘଟଣାର ସମୀକ୍ଷା କରି ସଫେଇ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ପାଣି ପହଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନର ପଦକ୍ଷେପକୁ ନେଇ ସମସ୍ତଙ୍କ ନଜର ରହିଛି।

Total Users : 1000778