ଦେଶରେ ନିକଟ ଅତୀତରେ ପରୀକ୍ଷା ପରିଚାଳନାକୁ ନେଇ ଉଠୁଥିବା ବିବାଦ, ପ୍ରଶ୍ନପତ୍ର ଲିକ୍, ଫଳ ପ୍ରକାଶରେ ଅନିୟମିତତା ଏବଂ ପ୍ରଶାସନିକ ତ୍ରୁଟି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଶର ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପରୀକ୍ଷା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭରସା ଦୁର୍ବଳ ହେଉଥିବା ବେଳେ ଏହା କେବଳ ଏକ ଶିକ୍ଷାଗତ ସମସ୍ୟା ନୁହେଁ, ବରଂ ଦେଶର ଭବିଷ୍ୟତ ସହ ସିଧାସଳଖ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ।
ସୋସିଆଲ୍ ମିଡିଆରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଆବଶ୍ୟକ। ପରୀକ୍ଷା ବ୍ୟବସ୍ଥାରେ ଦେଖାଦେଉଥିବା ତ୍ରୁଟି, ସ୍ୱଚ୍ଛତାର ଅଭାବ ଏବଂ ବିଶ୍ୱସନୀୟତା ସଙ୍କଟ ଉପରେ ବ୍ୟାପକ ଆଲୋଚନା କରାଯିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବ୍ୟାପକ ସଂସ୍କାର ଆଣିବାକୁ ସେ ଦାବି କରିଛନ୍ତି।
ନବୀନ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା କ୍ରମଶଃ କମିବାରେ ଲାଗିଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ସମଗ୍ର ପରୀକ୍ଷା ପ୍ରଣାଳୀର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଉଛି ଏବଂ କଠିନ ପରିଶ୍ରମର ମୂଲ୍ୟ ନେଇ ସନ୍ଦେହ ସୃଷ୍ଟି କରୁଛି।
ସେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି ଯେ, ଆର୍ଥିକ ଭାବେ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଜୀବନ ପରିବର୍ତ୍ତନର ସବୁଠୁ ବଡ଼ ମାଧ୍ୟମ। ଯଦି ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠେ, ତେବେ ଏହା ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ସ୍ୱପ୍ନ ଏବଂ ଭବିଷ୍ୟତକୁ ପ୍ରଭାବିତ କରିବ। ତେଣୁ ଏହି ପ୍ରସଙ୍ଗକୁ କୌଣସି ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ବିଚାର କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
ଏହା ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାବି ଉପସ୍ଥାପନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରି ସେମାନଙ୍କ ଆଶଙ୍କା ଦୂର କରିବାକୁ ନବୀନ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି, ସମସ୍ୟାର ସମାଧାନ ଆଲୋଚନା ଓ ସଂସ୍କାର ମାଧ୍ୟମରେ ସମ୍ଭବ, ଏବଂ ଛାତ୍ରଛାତ୍ରୀଙ୍କ ମତକୁ ସମ୍ମାନ ଦେବା ଗଣତନ୍ତ୍ରର ମୂଳ ଆଧାର।
ବର୍ତ୍ତମାନ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ରାଜନୈତିକ ଓ ଶିକ୍ଷା ମହଲରେ ନୂଆ ଆଲୋଚନାର ସୂତ୍ରପାତ କରିଛି। ଏବେ ସମସ୍ତଙ୍କ ନଜର ସଂସଦରେ ଏହି ପ୍ରସଙ୍ଗ ଉପରେ କେଉଁଭଳି ଆଲୋଚନା ହେଉଛି ଏବଂ ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଢ଼ାଇବା ପାଇଁ ସରକାର କେଉଁ ପଦକ୍ଷେପ ନେଉଛନ୍ତି।

Total Users : 1000778