ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜାଗମରା ଆମ୍ବୁଲାନ୍ସ ବେସ୍ରେ ଆଜି ଭୋର ସମୟରେ ଏକ ଅଘଟଣ ଘଟିଛି। ରୋଗୀଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ି ଫେରିଥିବା ଏକ ଆମ୍ବୁଲାନ୍ସ ହଠାତ୍ ଅଗ୍ନିକାଣ୍ଡର ଶିକାର ହୋଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଗାଡ଼ିଟିର ଆଗ ଭାଗରୁ ନିଆଁ ବାହାରି ସମଗ୍ର ଆମ୍ବୁଲାନ୍ସକୁ ବ୍ୟାପିଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସଟି ବେସ୍ରେ ରଖାଯିବାର କିଛି ସମୟ ପରେ ହଠାତ୍ ଧୂଆଁ ବାହାରିଥିଲା ଏବଂ ପରବର୍ତ୍ତୀ ସମୟରେ ନିଆଁ ଲାଗିଯାଇଥିଲା। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଦେଖୁଦେଖୁ ଗାଡ଼ିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
ଘଟଣାର ସୂଚନା ପାଇବା ପରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳେ ସୁଦ୍ଧା ଆମ୍ବୁଲାନ୍ସର ବଡ଼ ଅଂଶ ଜଳିଯାଇଥିଲା। ସୌଭାଗ୍ୟବଶତଃ ଘଟଣା ସମୟରେ କୌଣସି ରୋଗୀ ଗାଡ଼ିରେ ନଥିଲେ ଏବଂ କର୍ମଚାରୀମାନେ ମଧ୍ୟ ବାହାରେ ଥିବାରୁ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ।
ପ୍ରାଥମିକ ତଦନ୍ତରୁ ବୈଷୟିକ ତ୍ରୁଟି କିମ୍ବା ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦମକଳ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଘଟଣା ପରେ ଆମ୍ବୁଲାନ୍ସ ସେବାର ସୁରକ୍ଷା ମାନଦଣ୍ଡ ଓ ଯାନବାହନର ନିୟମିତ ରକ୍ଷଣାବେକ୍ଷଣକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
