ଯାତ୍ରୀଙ୍କ ଉପରେ ପୁଣି ଭଡ଼ା ବୃଦ୍ଧିର ବୋଝ: ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ବସ୍ ଭଡ଼ା
ଭୁବନେଶ୍ୱର: ରାଜ୍ୟରେ ବସ୍ ଯାତ୍ରା ପୁଣି ଥରେ ମହଙ୍ଗା ହୋଇଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ଗ୍ରହଣ କରି ସରକାର ବିଭିନ୍ନ ଶ୍ରେଣୀର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଭଡ଼ା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି।
ନୂତନ ନିଷ୍ପତ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ର ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ର ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଥିବାବେଳେ ସୁପର ଡିଲକ୍ସ ବସ୍ର ଭଡ଼ା କିଲୋମିଟର ପ୍ରତି ୬ ପଇସା ବୃଦ୍ଧି କରାଯାଇଛି।
କିଛିଦିନ ଧରି ଡିଜେଲ ଦର ବୃଦ୍ଧି, ଯନ୍ତ୍ରାଂଶ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଥିବା ଦର୍ଶାଇ ଘରୋଇ ବସ୍ ମାଲିକ ସଂଘ ଭଡ଼ା ବୃଦ୍ଧି ଦାବି କରୁଥିଲା। ଏପରିକି ଦାବି ପୂରଣ ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ମଧ୍ୟ ସଂଘ ଚେତାବନୀ ଦେଇଥିଲା। ଏନେଇ ବସ୍ ମାଲିକ ସଂଘର ପ୍ରତିନିଧିମାନେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ମେ’ ୧୫ ତାରିଖରେ ମଧ୍ୟ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ମାତ୍ର କିଛି ସପ୍ତାହ ବ୍ୟବଧାନରେ ପୁଣିଥରେ ଭଡ଼ା ବଢ଼ିବା ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରିଛି।
ରାଜ୍ୟରେ ଲଗାତାର ଭଡ଼ା ବୃଦ୍ଧି ନିଷ୍ପତ୍ତିକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଏହା ଦୈନନ୍ଦିନ ଯାତାୟାତ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି।
