ମୁକୁଳା ଡ୍ରେନ୍‌ରେ ନିଖୋଜ ଘଟଣା: ଆରମ୍ଭ ହେଲା ସର୍ଚ୍ଚ ଅପରେସନ

Table of Content

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା। ବାଣୀବିହାର ଅଞ୍ଚଳର ଏକ ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ବେଳେ, ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।

ନିଖୋଜ ଯୁବକ ଅନିଲ ସେଠୀ (୩୫) ପଥରବନ୍ଧ ବସ୍ତିରେ ରହୁଥିଲେ। ତାଙ୍କର ମୂଳ ଘର କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଡ୍ରେନ୍ ନିକଟରେ ପ୍ଲାଷ୍ଟିକ ସଂଗ୍ରହ କରୁଥିବା ସମୟରେ ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ।

ରାତି ହୋଇଯିବା ଓ ଡ୍ରେନ୍‌ରେ ଜମିଥିବା ଅଳିଆ ଆବର୍ଜନା ଯୋଗୁଁ ଗତକାଲି ସନ୍ଧ୍ୟାରେ ସର୍ଚ୍ଚ ଅପରେସନକୁ ସ୍ଥଗିତ ରଖାଯାଇଥିଲା। ରବିବାର ସକାଳୁ ପୁଣିଥରେ ମଞ୍ଚେଶ୍ୱର ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଉଦ୍ଧାରକାରୀ ଟିମ୍ ବାଣୀବିହାର ଛକରୁ ନଦୀ ମୁହାଣ ପର୍ଯ୍ୟନ୍ତ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଛନ୍ତି। ପ୍ରବଳ ଜଳସ୍ରୋତ ଓ ଆବର୍ଜନା ଉଦ୍ଧାର କାର୍ଯ୍ୟରେ ବାଧକ ସୃଷ୍ଟି କରୁଛି।

ଘଟଣାସ୍ଥଳରେ ବିଏମ୍‌ସି ମେୟର ସୁଲୋଚନା ଦାସ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଉଦ୍ଧାରକାରୀ ଟିମ୍ ନିଖୋଜ ଯୁବକଙ୍କ ସନ୍ଧାନରେ ନିରନ୍ତର ପ୍ରୟାସ ଜାରି ରଖିଛି।

ଏହି ଘଟଣା ପୁଣିଥରେ ରାଜଧାନୀର ମୁକୁଳା ଡ୍ରେନ୍ ସମସ୍ୟାକୁ ସାମ୍ନାକୁ ଆଣିଛି। ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ଅନେକ ସ୍ଥାନରେ ଡ୍ରେନ୍ ଉପରେ ସୁରକ୍ଷା ସ୍ଲାବ୍ କିମ୍ବା ବ୍ୟାରିକେଡ୍ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ନେବା ସହ ମୁକୁଳା ଡ୍ରେନ୍‌ଗୁଡ଼ିକୁ ଢାଙ୍କିବାକୁ ଦାବି କରିଛନ୍ତି।

ପୋଲିସ, ଅଗ୍ନିଶମ ବିଭାଗ ଓ ବିଏମ୍‌ସିର ମିଳିତ ପ୍ରୟାସରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778