ଭକ୍ତିର ମହାସ୍ରୋତରେ ଉଛୁଳିଲା ଶ୍ରୀକ୍ଷେତ୍ର, ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ କାଳିଆ ସାଆନ୍ତ
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ସମଗ୍ର ଶ୍ରୀକ୍ଷେତ୍ର ପୁରୀ ଭକ୍ତି ଓ ଭାବବିହ୍ୱଳ ପରିବେଶରେ ମଗ୍ନ ହୋଇଉଠିଛି। ନଅ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ଆଡ଼ପମଣ୍ଡପ ଲୀଳା ସମାପ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆଜି ପୁଣି ନୀଳାଚଳ ଅଭିମୁଖେ ବାହୁଡ଼ିବେ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ହେଉଥିବା ଏହି ପବିତ୍ର ବାହୁଡ଼ା ଯାତ୍ରାକୁ ନେଇ ବଡ଼ଦାଣ୍ଡ ସମେତ ସମଗ୍ର ପୁରୀ ଉତ୍ସବମୁଖର ହୋଇପଡ଼ିଛି। ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପିଉଠୁଛି ଶ୍ରୀକ୍ଷେତ୍ର।
ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ, ତିନିରଥରେ ବିରାଜମାନ ମହାପ୍ରଭୁଙ୍କ ଶେଷ ଦର୍ଶନ ପାଇଁ ସମସ୍ତଙ୍କ ମନରେ ଅପେକ୍ଷା ଓ ଉତ୍କଣ୍ଠା ଦେଖାଯାଇଛି। ଅପରାହ୍ଣରେ ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହେବା ସହ ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ। ଭକ୍ତମାନେ ରଥର ରସି ଟାଣିବାକୁ ଉତ୍ସାହର ସହ ଅପେକ୍ଷା କରୁଛନ୍ତି।
ଅନ୍ୟପଟେ ବାହୁଡ଼ାର ଏହି ଭାବବିହ୍ୱଳ ମୁହୂର୍ତ୍ତ ଭକ୍ତମାନଙ୍କ ଆଖିରେ ଲୁହ ଆଣିଦେଇଛି। ଶରଧାବାଲିରେ ଅନେକ ଭକ୍ତ ଭୋଭୋ ହୋଇ କାନ୍ଦୁଥିବା ବେଳେ, କେହି ଧୂଳିରେ ଦଣ୍ଡବତ ହେଉଛନ୍ତି, ଆଉ କେହି ହାତଯୋଡ଼ି ପ୍ରାର୍ଥନା କରୁଛନ୍ତି—”ହେ କାଳିଆ ସାଆନ୍ତ, ଆମ ଉପରେ ସଦା କୃପାଦୃଷ୍ଟି ରଖିଥାଅ।” ନଅ ଦିନର ଏହି ଦିବ୍ୟ ଲୀଳା ସମାପ୍ତ ହେବା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଉଥିବାରୁ ଭକ୍ତଙ୍କ ମନରେ ବିରହର ଯନ୍ତ୍ରଣା ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।
ଚଳିତ ବର୍ଷର ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ଡ୍ରୋନ୍ ନଜରଦାରି, ଏଆଇ ଆଧାରିତ ମନିଟରିଂ, ପୋଲିସ, ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆରଏଫ୍ ସମେତ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେବାୟତମାନଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତି ଶେଷ ହୋଇଛି।
ବାହୁଡ଼ା ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅଟୁଟ ଭକ୍ତି, ପ୍ରେମ ଓ ବିଶ୍ୱାସର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ଏହି ଦିବ୍ୟ ବାହୁଡ଼ା ଯାତ୍ରା ସମଗ୍ର ବିଶ୍ୱକୁ ଶାନ୍ତି, ସମୃଦ୍ଧି ଓ ମଙ୍ଗଳର ବାର୍ତ୍ତା ଦେଉ ବୋଲି ଲକ୍ଷଲକ୍ଷ ଭକ୍ତ ପ୍ରାର୍ଥନା କରୁଛନ୍ତି। ଜୟ ଜଗନ୍ନାଥ।

Total Users : 1000778