ରାଜ୍ୟ ସରକାର ପକ୍ଷରୁ ଆଇପିଏସ୍ ଓ ଓପିଏସ୍ ସ୍ତରରେ ବ୍ୟାପକ ପୋଲିସ୍ ଅଦଳବଦଳ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁଯାୟୀ, ୧୪ ଜଣ ଆଇପିଏସ୍ ଓ ୪ ଜଣ ବରିଷ୍ଠ ଓପିଏସ୍ ଅଫିସରଙ୍କ ବଦଳି ସହ ୮ଟି ଜିଲ୍ଲାର ଏସ୍ପି ପରିବର୍ତ୍ତନ କରାଯାଇଛି।
ପରିବର୍ତ୍ତନ ହୋଇଥିବା ଜିଲ୍ଲାଗୁଡିକ ହେଲେ— ନବରଙ୍ଗପୁର, ଖୋର୍ଦ୍ଧା, ରାୟଗଡ଼ା, ବରଗଡ଼, ନୟାଗଡ଼, ଗଞ୍ଜାମ, ବୌଦ୍ଧ ଏବଂ କନ୍ଧମାଳ।
ନୋଟିଫିକେସନ୍ ଅନୁଯାୟୀ, ନବରଙ୍ଗପୁର ଏସ୍ପି (ଡିଆଇଜିପି ଗ୍ରେଡ୍) ଶ୍ରୀ ମଦକର ସନ୍ଦୀପ ସମ୍ପତ୍ଙ୍କୁ କଟକ CID-CB ର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି, କଟକ CID-CB ଏସ୍ପି ଶ୍ରୀ ପରମାର ସ୍ମିତ ପରଶୋତମଦାସଙ୍କୁ ନୟାଗଡ଼ ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
ଖୋର୍ଦ୍ଧା ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମାଙ୍କୁ କଟକ CID-CB ଏସ୍ପି ଭାବେ ବଦଳି କରାଯାଇଛି। ରାୟଗଡ଼ା ଏସ୍ପି ଶ୍ରୀମତୀ ସ୍ୱାତି ଏସ୍. କୁମାରଙ୍କୁ ଭୁବନେଶ୍ୱର STF ଏସ୍ପି ଭାବେ ନିଯୁକ୍ତ କରାଯାଇଛି। ବରଗଡ଼ ଏସ୍ପି ଶ୍ରୀ ପ୍ରହ୍ଲାଦଶୁରୟ ମୀନାଙ୍କୁ ଗଜପତି ଏସ୍ପି ଭାବେ ବଦଳି କରାଯାଇଛି।
ସେହିପରି, ନୟାଗଡ଼ ଏସ୍ପି ଏସ୍. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସ୍ପି ଭାବେ, ସ୍ପେସିଆଲ୍ ବ୍ରାଞ୍ଚ ଏସ୍ପି ରାଜ ପ୍ରସାଦଙ୍କୁ ରାୟଗଡ଼ା ଏସ୍ପି ଭାବେ, ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ, ବୌଦ୍ଧ ଏସ୍ପି ରାହୁଲ ଗୋଏଲଙ୍କୁ ସ୍ପେସିଆଲ୍ ବ୍ରାଞ୍ଚରେ ଏବଂ କନ୍ଧମାଳ ଏସ୍ପି ହରିଷ ବି. ସି.ଙ୍କୁ ଗଞ୍ଜାମ ଏସ୍ପି ଭାବେ ବଦଳି କରାଯାଇଛି।
ଅନ୍ୟପଟେ, ଭଦ୍ରକ ଅତିରିକ୍ତ ଏସ୍ପି କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସ୍ପି ଭାବେ ପଦୋନ୍ନତି ସହ ନିଯୁକ୍ତି ମିଳିଛି। ସେହିପରି, ରାୟଗଡ଼ା ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସ୍ପି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି।
ଏହି ବ୍ୟାପକ ପୁନର୍ଗଠନ ରାଜ୍ୟର ପୋଲିସ୍ ପ୍ରଶାସନକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
