ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସମସ୍ତ ଅଭିଯୁକ୍ତ ହେବେ ଗିରଫ

Table of Content

ଭୁବନେଶ୍ୱର, ୧୮/୦୫: ବାଲିଅନ୍ତାରେ ଘଟିଥିବା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକ ତେଜ ହୋଇଛି। ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତଦନ୍ତ ପାଇଁ ବିଶେଷ ଟିମ୍ ସକ୍ରିୟ ଭାବେ କାମ କରୁଛି ଏବଂ ଖୁବଶୀଘ୍ର ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।

ଏହି ଘଟଣା ପରେ ସୌମ୍ୟଙ୍କ ପରିବାର ନ୍ୟାୟ ଦାବିରେ ଆଉ ଅଧିକ ସରବ ହୋଇଛନ୍ତି। ଏକାଦଶାହ ଅବସରରେ ସୌମ୍ୟଙ୍କ ମାଆ କୋହଭରା କଣ୍ଠରେ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ନ୍ୟାୟ ପାଇଁ ଲଢ଼ିବେ ବୋଲି କହିଛନ୍ତି।

ପରିବାର ପକ୍ଷରୁ ଅଭିଯୋଗ ହେଉଛି ଯେ, ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ସୌମ୍ୟଙ୍କ ମୋବାଇଲ୍ ଓ ପିନ୍ଧିଥିବା ପୋଷାକ ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନେଇଥିବା ଗାଡ଼ି ଓ ଡ୍ରାଇଭର ସମ୍ପର୍କରେ ମଧ୍ୟ ପୋଲିସ ସ୍ପଷ୍ଟ ସୂଚନା ଦେଇପାରିନାହିଁ। ଏହାକୁ ନେଇ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ‘ସତ୍ୟବିହାର ଜିମ୍’କୁ କେନ୍ଦ୍ର କରି କିଛି ଆର୍ଥିକ ଅନିୟମିତତା ଓ ଗୁପ୍ତ କାରବାର ଥିବା ନେଇ ପରିବାର ଗୁରୁତର ଅଭିଯୋଗ ଆଣିଛି। ଏହି ଦିଗରେ ମଧ୍ୟ ତଦନ୍ତ ହେବାକୁ ଦାବି କରାଯାଇଛି। ଘଟଣା ଦିନ ସୌମ୍ୟଙ୍କ ସହ ଥିବା କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପରିବାର ଆଶା କରୁଛି।

ଉଲ୍ଲେଖଯୋଗ୍ୟ, ଗତ ମେ ୭ ତାରିଖରେ ଦୁଇ ଯୁବତୀଙ୍କ ସ୍କୁଟି ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ସୌମ୍ୟଙ୍କୁ ନିର୍ମମ ଭାବେ ପିଟିଥିବା ଅଭିଯୋଗ ରହିଛି। ତେବେ ଏହା କେବଳ ଭିଡ଼ ହିଂସା ନା ଏହା ପଛରେ ରହିଛି ବଡ଼ ଷଡଯନ୍ତ୍ର—ସେନେଇ ତଦନ୍ତ ଜାରି ରହିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts