ବାରଙ୍ଗ ଥାନା IIC ନିରଞ୍ଜନ ବେହେରା କଟକ ଡିସିପି କାର୍ଯ୍ୟାଳୟକୁ ବଦଳି: ଥାର୍ଡ ଡିଗ୍ରୀ ଓ ଅତ୍ୟାଚାର ଅଭିଯୋଗ ପରେ ପଦକ୍ଷେପ
କଟକ: ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରାଙ୍କୁ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହାସହ ପୁରୀଘାଟ ଥାନା IIC ବିଶ୍ୱରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ବେଆଇନ ଭାବେ ତିନି ଦିନ ଧରି ଅଟକ ରଖି ଥାର୍ଡ ଡିଗ୍ରୀ ଦେବା ଓ ମାଡ଼ମାରି ଗୁରୁତର ଆହତ କରାଯାଇଥିବା ଗୁରୁତର ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁଯାୟୀ, ଏହି ଘଟଣା ପରେ ପୋଲିସ ପକ୍ଷରୁ ଘଟଣାକୁ ଲୁଚାଇବା ପ୍ରୟାସ କରାଯାଇଥିବା ମଧ୍ୟ ଦାବି ହୋଇଛି।
ଘର ଲୋକଙ୍କୁ ସୂଚନା ନଦେଇ ପୀଡ଼ିତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବାର ଅଭିଯୋଗ ମଧ୍ୟ ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଆନ୍ଦୋଳନ ଦେଖାଦେଇଥିଲା। ନ୍ୟାୟ ଦାବିରେ ଲୋକେ ଥାନା ଘେରାଉ ସହ ଜାତୀୟ ରାଜପଥ ଅବରୋଧ ଓ ହରତାଳ କରିଥିଲେ।
ପରିସ୍ଥିତି ଗୁରୁତର ହେବା ପରେ ପୋଲିସ ବିଭାଗ ପକ୍ଷରୁ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନିଆଯାଇ ଆଇଆଇସିଙ୍କୁ ବଦଳି କରାଯାଇଛି। ଏହି ଘଟଣାର ଆଗାମୀ ତଦନ୍ତ ଜାରି ରହିଛି।
