ବାଘ ଆକ୍ରମଣରୁ ୭ ବର୍ଷର ଶିଶୁକୁ ବଞ୍ଚାଇଲେ ବାପା-ମା: କାଙ୍କେର ଦୁଧାୱା ଅଞ୍ଚଳରେ ଭୟଙ୍କର ଘଟଣା, ଗ୍ରାମରେ ଆତଙ୍କ
ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧାୱା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଏକଥର ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଘର ଅଗଣାରେ ଖେଳୁଥିବା ଜଣେ ୭ ବର୍ଷର ଶିଶୁ ଉପରେ ହଠାତ୍ ବାଘ ଆକ୍ରମଣ କରିଥିଲା।
ସୂଚନା ଅନୁଯାୟୀ, ବାଘ ଆକ୍ରମଣ ସମୟରେ ପିତାମାତା ଓ ଜଣେ ସ୍ଥାନୀୟ ମହିଳା ସାହସିକ ଭାବେ ହସ୍ତକ୍ଷେପ କରି ବାଘକୁ ପାଣି ଫିଙ୍ଗି ଭୟଭୀତ କରିଥିଲେ। ଫଳରେ ବାଘ ଶିଶୁକୁ ଛାଡ଼ି ଜଙ୍ଗଲ ଦିଗରେ ପଳାଇଯାଇଥିଲା। ଏହି ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।
ତଥାପି ଆକ୍ରମଣରେ ଶିଶୁର ଜଙ୍ଘରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଇଛନ୍ତି।
ଏହି ଘଟଣା ପରେ ଦୁଧାୱା ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ସନ୍ଧ୍ୟା ପରେ ଘର ବାହାରକୁ ଯିବାରେ ସାବଧାନ ରହୁଛନ୍ତି।
ସାରୋନା ରେଞ୍ଜ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି। ବାଘ ଗତିବିଧି ନିୟନ୍ତ୍ରଣ ଓ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ନିରୀକ୍ଷଣ ବଢ଼ାଯାଇଛି। ଅଧିକାରୀମାନେ ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ଜଙ୍ଗଲ ଅଞ୍ଚଳକୁ ଯିବାରୁ ବଚିବାକୁ ଅପିଲ୍ କରିଛନ୍ତି।
