ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ଭୀଷଣ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, କେଉଁଝର ଓ ଢେଙ୍କାନାଳ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯଦିଓ ଆସନ୍ତାକାଲିଠାରୁ ବର୍ଷାର ତୀବ୍ରତା କିଛିଟା କମିବାର ସମ୍ଭାବନା ରହିଛି, ତଥାପି ଆଗାମୀ ୪ ଦିନ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ସର୍ବାଧିକ ପ୍ରାୟ ୩୨୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀର, କଣ୍ଟାମାଳ, ବୀରମହାରାଜପୁର ଓ ତରଭାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବରଗଡ଼, କନ୍ଧମାଳ, ଢେଙ୍କାନାଳ ସମେତ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଘରେ ପାଣି ପଶିବା, ରାସ୍ତାଘାଟ ଜଳମଗ୍ନ ହେବା ଓ ଯାତାୟାତ ବାଧାପ୍ରାପ୍ତ ହେବାରୁ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
କେବଳ ଗ୍ରାମାଞ୍ଚଳ ନୁହେଁ, ଭୁବନେଶ୍ୱର, କଟକ ଓ ସମ୍ବଲପୁର ଭଳି ସହରାଞ୍ଚଳରେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ସ୍ପଷ୍ଟ ହୋଇଛି। ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ, ପିଲାଙ୍କ ପାଠପଢ଼ା ଓ ରୋଗୀଙ୍କ ଚିକିତ୍ସା ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ସତର୍କବାଣୀକୁ ଦୃଷ୍ଟିରେ ରଖି ଅନାବଶ୍ୟକ ଯାତ୍ରା ଏଡ଼ାଇବା, ନଦୀ ଓ ଜଳାଶୟ ନିକଟକୁ ନ ଯିବା ସହ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।

Total Users : 1000778