ପଶ୍ଚିମବଙ୍ଗରେ ଶିକ୍ଷାନୀତି ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସ୍କୁଲଗୁଡ଼ିକ ପାଇଁ ଏଭଳି ନିର୍ଦ୍ଦେଶ ପରେ ଏବେ ମଦ୍ରାସାଗୁଡ଼ିକୁ ମଧ୍ୟ ଏହି ନୀତିରେ ସାମିଲ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ଏହାର ନିର୍ବାହ ଓ ନିରୀକ୍ଷଣ କରୁଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ସକାଳ ସଭାରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ ନୂଆ ନିର୍ଦ୍ଦେଶ ଜାରି ହୋଇଥିଲା। ଏହାପରେ ଏବେ ମଦ୍ରାସା ଶିକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି।
ପ୍ରଶାସନୀକ ସ୍ତରରେ ଏହି ପଦକ୍ଷେପକୁ ଜାତୀୟ ଏକତା ଓ ସାଂସ୍କୃତିକ ସମନ୍ୱୟକୁ ମଜବୁତ କରିବାର ଉଦ୍ଦେଶ୍ୟରେ ନିଆଯାଇଥିବା ବୋଲି କୁହାଯାଉଛି। ତେବେ ଶିକ୍ଷା ମହଳ ଓ ସମାଜର କିଛି ଅଂଶରେ ଏହି ନିର୍ଦ୍ଦେଶକୁ ନେଇ ମିଶ୍ର ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି।
ଏହି ନିଷ୍ପତ୍ତି ପରେ ରାଜ୍ୟର ଶିକ୍ଷା ପରିବେଶରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ କିପରି ପଡ଼ିବ, ସେନେଇ ସମସ୍ତଙ୍କ ନଜର ରହିଛି।
