ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଥାନା ଅଞ୍ଚଳର ବୁରୁକୁନା ଛକ ନିକଟରେ ଆଜି ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଓଡ଼ିଶା ସରକାରଙ୍କ ‘ଜଗନ୍ନାଥ ଏକ୍ସପ୍ରେସ୍’ ଯାତ୍ରୀବାହୀ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ବସଟି ପୁରୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ବେଳେ ବୁରୁକୁନା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସରେ ୪୫ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଛି।
ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖବର ପାଇ ପାଲଲହଡା, କଣିହାଁ ଓ ତାଳଚେର ଅଗ୍ନିଶମ ବାହିନୀ, ସମଲ ବ୍ୟାରେଜ୍ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର୍ କରାଯାଇଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରେ ବସ ନିୟନ୍ତ୍ରଣ ହରାଇବା କିମ୍ବା ରାସ୍ତାର ପରିସ୍ଥିତି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଯାତାୟାତ ସ୍ୱାଭାବିକ କରାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଥିବା ବେଳେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଅଧିକ ସୂଚନା ଅପେକ୍ଷା କରାଯାଇଛି।

Total Users : 1000778